ବ୍ରହ୍ମପୁର : ରାଜ୍ୟର ସରକାରୀ ହସ୍ପିଟାଲ ଓ ଥାନାକୁ ନେଇ ଚାରିଆଡ଼େ ହଲ୍ଲାବୋଲ୍ ଚାଲିଥିବା ବେଳେ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ରରେ ପହଞ୍ଚିଥିଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ ।
ଗରିବଗୁରୁବାଙ୍କ ପାଇଁ ୫ଟଙ୍କିଆ ଆହାର କେନ୍ଦ୍ର ଖୋଲିଛନ୍ତି ସରକାର । ୫ ଟଙ୍କାରେ ଭାତ ଡାଲମା ଖାଇ ପାରୁଥିବା ଲୋକେ ଏଥିପାଇଁ ସରକାରଙ୍କୁ ଭାରି ପ୍ରଶଂସା କରୁଛନ୍ତି । କିନ୍ତୁ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରେ ଥିବା ଏହି ଆହାର କେନ୍ଦ୍ରର ଅବସ୍ଥା ଶୋଚନୀୟ । ଏଠି ଖାଦ୍ୟ ପରସା ଯାଉଛି, ଆଉ ୟାକୁ ଲୋକେ ବି ଖାଉଛନ୍ତି । ଖାଲି କ’ଣ ଲୋକେ ଆଜି ଖୋଦ୍ ବ୍ରହ୍ମପୁର ସାଂସଦ ଓ ବିଧାୟକ ମହାଶୟ ବି ପହଞ୍ଚିଛନ୍ତି ଆହାର ଖାଇବାକୁ । ଆହାର କେନ୍ଦ୍ରରେ ହାତ ଧୁଆ ପାଣିରେ ଭାସୁଛି ଚଟାଣ । ସେଇ ପାଣିରେ ଠିଆ ହୋଇ ଲୋକେ ଖାଉଛନ୍ତି । ଏଭଳି ଅବସ୍ଥା ନିଇତି ଏଠି ଦେଖିବାକୁ ମିଳେ । ଲୋକଙ୍କ ସୌଭାଗ୍ୟ ସେମାନଙ୍କ ସହ ସ୍ବୟଂ ସାଂସଦ ଏବଂ ଖୋଦ୍ ବିଧାୟକ ସାମିଲ ହୋଇଛନ୍ତି ।
ଆହାର କେନ୍ଦ୍ରର ଏଭଳି ଅବସ୍ଥାକୁ ଦେଖି ସାଂସଦ ଓ ବିଧାୟକ କହିଥିଲେ ଖାଦ୍ୟର ମାନ ଠିକ୍ ଅଛି । ସାଂସଦ ଓ ବିଧାୟକଙ୍କ ଆହାର ଉପରେ କିଛି କମ୍ପଲେନ୍ ନାହିଁ । କେବଳ ଦରକାର କେନ୍ଦ୍ରରେ ପରିସ୍କାର ଓ ପରିଚ୍ଛନ୍ନତା । ସେଥିପାଇଁ ତାଗିଦ୍ କରିଛନ୍ତି । ଆଗକୁ ଆଉ ଲୋକଙ୍କୁ ଅଇଁଠା ପାଣିରେ ଠିଆ ହୋଇ ଆହାର ଖାଇବାକୁ ପଡ଼ିବ ନାହିଁ ବୋଲି କହିଥିଲେ ।
