Odia News Portal

ବିଧାନସଭାରେ ବିଜେଡିର କେନ୍ଦ୍ର ବିରୋଧି ନାରା

ଭୁବନେଶ୍ବର () ଅନୁସୂଚିତ ଜାତି ଜନଜାତୀ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ଆଜି ବିଧାନସଭାରେ ଗର୍ଜିଛନ୍ତି ଶାସକ ବିଜେଡି ବିଧାୟକମାନେ । ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଶାସକ ବିଜେଡିର ବିଧାୟକମାନେ ଓଡିଶାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରବର୍ତ୍ତି ଷ୍ଟାଇପେଣ୍ଡ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନର ହାର ପରିବର୍ତ୍ତନ ବିରୋଧରେ ପ୍ରତିବାଦ କରିଛନ୍ତି । କେନ୍ଦ୍ର ସରକାର ତୁରନ୍ତ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ବିଜେଡି ବିଧାୟକମାନେ ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ପ୍ରସଙ୍ଗରେ ଗତ 17 ତାରିଖରେ କେନ୍ଦ୍ର ସମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାବୋର ଚନ୍ଦ ଗେହଲଟଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଚିଠିରେ ଲେଖିଛନ୍ତି ଯେ, ରାଜ୍ୟ ସରକାର ଉତ୍ତମ ମାନ ଶିକ୍ଷାକୁ ଗୁରୁତ୍ବ ଦେଉଛନ୍ତି । ଅନୁସୂଚିତ ଜାତି ଓ ଜନଜାତୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ରାଜ୍ୟର ପ୍ରାୟ 2 ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଜନଜାତୀ ଛାତ୍ରଛାତ୍ରୀ ମାଟ୍ରିକ ପରବର୍ତ୍ତି ଷ୍ଟାଇପେଣ୍ଡ ପାଉଛନ୍ତି । ଏହି ଷ୍ଟାଇପେଣ୍ଡ ଏକ କେନ୍ଦ୍ରୀୟ ସହାୟତାପ୍ରାପ୍ତ ଯୋଜନା ।

ଏହି ଯୋଜନାରେ 2016-17 ପର୍ଯ୍ୟନ୍ତ କେନ୍ଦ୍ର ସମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ 90 ପ୍ରତିଶତ ଏବଂ ରାଜ୍ୟ ସରକାର 10 ପ୍ରତିଶତ ବ୍ୟୟଭାର ବହନ କରୁଥିଲେ । ଏହିକ୍ରମରେ କେନ୍ଦ୍ର ସରକାର 2016-17ରେ 215.80 କୋଟି ଟଙ୍କା ଏବଂ ରାଜ୍ୟ ସରକାର 22.48 କୋଟି ଟଙ୍କା ବ୍ୟୟ ଭାର ବହନ କରିଥିଲେ । କିନ୍ତୁ 2017-18ରୁ କେନ୍ଦ୍ର ସରକାର ଏହି କେନ୍ଦ୍ରୀୟ ସହାୟତାପ୍ରାପ୍ତ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ଅଂଶଧନରେ ପରିବର୍ତ୍ତନ କରିଛନ୍ତି । ଫଳରେ ରାଜ୍ୟ ସରକାର 80 ପ୍ରତିଶତ ଏବଂ କେନ୍ଦ୍ର ସରକାର 20 ପ୍ରତିଶତ ଅର୍ଥ ପ୍ରଦାନ କରୁଛନ୍ତି ।

ଫଳରେ 2017-18ରେ ରାଜ୍ୟ ସରକାର 238.28 କୋଟି ଏବଂ କେନ୍ଦ୍ର ସରକାର 35.12 କୋଟି ଟଙ୍କା ପ୍ରଦାନ କରିଥିଲେ । 2018-19ରେ ସେହିଭଳି ରାଜ୍ୟ ସରକାର 238.28 କୋଟି ଏବଂ କେନ୍ଦ୍ର ସରକାର 49.39 କୋଟି ଟଙ୍କା ମାଟ୍ରିକ ପରବର୍ତ୍ତି ଷ୍ଟାଇପେଣ୍ଡ ପାଇଁ ବ୍ୟୟ ଭାର ବହନ କରିବେ ବୋଲି ଆକଳନ କରାଯାଉଛି । ଏଭଳି କେନ୍ଦ୍ରୀୟ ଅଂଶଧନରେ ପରିବର୍ତ୍ତନ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ ବ୍ୟବସ୍ଥାକୁ ପ୍ରଭାବିତ କରୁଛି । ତେଣୁ କେନ୍ଦ୍ରମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ପୂର୍ବ ଭଳି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ 90:10 ପ୍ରତିଶତ ହାରରେ ବ୍ୟୟ ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏଭଳି ଏକତରଫା ନିଷ୍ପତ୍ତି ବିରୋଧରେ ବିଧାନସଭା ଭିତରେ ବିଜେଡି ସ୍ବର ଉତ୍ତୋଳନ କରିଥିଲା । ବିଜେଡିର ସ୍ବରକୁ କାଉଣ୍ଟର କରିବାକୁ ବିଜେପି ଢେଙ୍କାନାଳ ବିୟର ଫ୍ରାକ୍ଟ୍ରି ପ୍ରସଙ୍ଗ ଏବଂ କଂଗ୍ରେସ ସଚିବାଳୟରେ ସିବିଆଇ ପ୍ରବେଶ ପ୍ରସଙ୍ଗ ଉଠାଇଥିଲା । ଏହାଦ୍ବାରା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଷ୍ଟାଇପେଣ୍ଡ ସଂପର୍କିତ ଦାବି ଉପରେ ଆଲୋଚନା ହୋଇପାରିଲା ନାହିଁ ।