ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ଦାବିରୁ ବିଜେପି ଓହରି ଯାଇଛି। ଶନିବାର ରାଜ୍ୟପାଳ ଭଗତସିଂ କୋଶ୍ୟାରୀ ସଂଖ୍ୟା ଗରିଷ୍ଠ ଦଳକୁ ରାଜ୍ୟରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। ତେବେ ରାଜ୍ୟରେ ସରକାର ଗଠନ ନେଇ ରବିବାର ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀଶଙ୍କ ଘରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦଳୀୟ ନିଷ୍ପତ୍ତି ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଛି।
ବୈଠକ ପରେ ଫଡନବୀଶ, ବରିଷ୍ଠ ବିଜେପି ନେତା ପଙ୍କଜା ମୁଣ୍ଡେ, ବିନୋଦ ତାବଡେ ଓ ଚନ୍ଦ୍ରକାନ୍ତ ପାଟିଲ ଆଦି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ। ରାଜ୍ୟରେ ସରକାର ଗଠନ ଲାଗି ଦଳ ରାଜ୍ୟପାଳଙ୍କୁ ନିଜର ଅସମର୍ଥତା ଜଣାଇ ଥିବା ସାକ୍ଷାତ ଆଲୋଚନା ପରେ ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ପାଟିଲ କହିଛନ୍ତି ଯେ ରାଜ୍ୟବାସୀ ବିଜେପି ଓ ଶିବସେନା ମେଣ୍ଟକୁ ରାଜ୍ୟରେ ସରକାର ଲାଗି ଜନାଦେଶ ଦେଇଥିଲେ। ଉଭୟ ମେଣ୍ଟ ମିସି ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ହେଁ ସରକାର ଗଠନରେ ବିଜେପିକୁ ଶିବସେନା ସହଯୋଗ କରୁନଥିବା ପାଟିଲ କହିଛନ୍ତି। ଏଣୁ ସାଙ୍ଗରେ ମେଣ୍ଟ ଆସୁନଥିବାରୁ ବିଜେପି ଏକାକୀ ରାଜ୍ୟରେ ସରକାର ଗଠନ କରିବାକୁ ସକ୍ଷମ ନୁହେଁ ବୋଲି ରାଜ୍ୟପାଳଙ୍କୁ ଦଳ ପକ୍ଷରୁ ଜଣାଇ ଦିଆଯାଇଥିବା ପାଟିଲ କହିଛନ୍ତି।
