ଭୁବନେଶ୍ୱର : ଶାସକ ବିଜେଡି ଦଳକୁ ମୁକାବିଲା କରିବାପାଇଁ ରଣହୁଙ୍କାର ଦେଇଥିବା ଦୁଇ ବିରୋଧି କଂଗ୍ରେସ ଓ
ବିଜେପି ଏବେ ପରସ୍ପର ଉପରକୁ କାଦୁଅ ଫିଙ୍ଗାରେ ମାତିଛନ୍ତି । ଜଣେ ଅନ୍ୟଜଣକୁ ଶାସକଦଳ ସହ ଚୋରାପିରତୀରେ
ମାତିଥିବା ନେଇ ଅଭିଯୋଗ କରୁଥିବାବେଳେ ଏହା କିନ୍ତୁ ବିଜେଡିକୁ ବେଶ୍ ସୁହାଇଛି । ଦୁଇ ଦଳର କାଦୁଅଫିଙ୍ଗା ଚଳିତ ବିଧାନସଭା ଭିତରେ ଓ ବାହାରେ ଦେଖିବାକୁ ମିଳୁଛି । ଗତ ସାଧାରଣ ନିର୍ବାଚନ ପରଠାରୁ ବିଧାନସଭା ବାହାରେ ପରସ୍ପରକୁ ଏ ନେଇ ଦୋଷ ଦେଇ ଆସୁଥିଲେ । ବିଜେଡି ଠାରୁ ଶୋଚନୀୟ
ପରାଜୟ ପରେ କଂଗ୍ରେସ ଏଥିପାଇଁ ବିଜେପିକୁ ଦାୟୀକରି ବିଜେଡି ସହିତ ମିଶିଥିବା ଅଭିଯୋଗ ଆଣିଥିବାବେଳେ
ବିଜେଡିକୁ ଜିତାଇବା ପାଇଁ କଂଗ୍ରେସ ନିରବ ରହିଲା ବୋଲି ବିଜେପି କହିଥିଲା ।
ସେହିଭଳି ପୂର୍ବରୁ ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସ ବିଜେଡି-ବିଜେପି ଅଘୋଷିତ ମେଣ୍ଟ କରିଥିବା ନେଇ ଅଭିଯୋଗ କରିଆସୁଛି । ଧାନ ଦରକୁ ନେଇ ବି ପ୍ରଧାନମବୀ ଓଡିଶା ପ୍ରତି ଦୃଷ୍ଟି ନଦେବାରେ କଂଗ୍ରେସ ବିଜେପି-ବିଜେଡି ସମ୍ପର୍କକୁ ଦାୟୀ କରୁଛି । ତେବେ ଚଳିତ ବିଧାନସଭାରେ ଏହି କାଦୁଅଫିଙ୍ଗା ଜୋରଦାର ହୋଇଛି । ପ୍ରତ୍ୟେକ ପ୍ରସଙ୍ଗ ଆଲୋଚନା
ସମୟରେ ଚୋରାପିରତୀ ସମ୍ପର୍କକୁ କଂଗ୍ରେସ ବିଜେପି ଉପରକୁ ତେରେଛା ବାଣ ବାରିବାରେ ଲାଗିଛି । କେନ୍ଦ୍ରରେ କାହିଁକି
ବିଭିନ୍ନ ପ୍ରସଙ୍ଗରେ ବିଜେଡି ବିଜେପି ସହିତ ହାତ ମିଳାଉଛି ବୋଲି କଂଗ୍ରେସ ଲଗାତାର ଭାବେ କହି ଆସୁଛି । ସେହିଭଳି
ବିଜେପି କାହିଁକି ମହାନଦୀ ପ୍ରସଙ୍ଗ ଉଠାଉନାହିଁ, ଏଥିପାଇଁ କଣ ଦୁଇଦଳ ମିଶିଗଲେ କି ବୋଲି କଂଗ୍ରେସ ଆଜି ପ୍ରଶ୍ନ କରିଛି
ା ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନା ପାଇଁ ନୋଟିସ୍ ଦେଇ ବିଜେପି ତାହାକୁ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ବି
କଂଗ୍ରେସ ବିଜେପିକୁ ସନ୍ଦେହ ଚକ୍ଷୁରେ ଦେଖୁଛି ।
ବିଜେପି ମଧ୍ୟ କେତେକ ପ୍ରସଙ୍ଗରେ ବିଜେଡି-କଂଗ୍ରେସ ହାତ
ମିଳାଇଥିବାର ଅଭିଯୋଗ ଆଣୁଛି । ଅବସ୍ଥା ଏଭଳି ହୋଇଛି ଗୋଟିଏ ଦୁଇଟି ପ୍ରସଙ୍ଗକୁ ବାଦ୍ ଦେଲେ ଦୁଇ ବିରୋଧି ବିଧାନସଭାରେ ଏକାଠି ହୋଇପାରୁ ନାହାନ୍ତି । କଂଗ୍ରେସ ସଦସ୍ୟମାନେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନା କରୁଥିବାବେଳେ ବିଜେପି ସଦସ୍ୟମାନେ ସେଥିରେ ଭାଗନେବା ବଦଳରେ ଗୃହ ମଧ୍ୟରେ ଆଲୋଚନା ସରିବା ପର୍ଯ୍ୟନ୍ତ ପାଟିତୁଣ୍ଡ କରିଥିଲେ । ଖୋଦ ବିରୋଧିଦଳ ନେତା ଆଜି ତାଙ୍କ ଦଳକୁ ଗୁରୁତ୍ୱ ଦିଆଯାଉନଥିବା ଓ କଂଗ୍ରେସ ତୁଳନାରେ କାର୍ଯ୍ୟ ପରାମର୍ଶଦାତା ବୈଠକରେ ସଂଖ୍ୟା କମ୍ ଥିବା ଉଠାଇଛନ୍ତି । ଏପରିକି ମୁଲତବି ନୋଟିସ୍ ଦେବା କ୍ଷେତ୍ରରେ ମଧ୍ୟ ସିଏ କଂଗ୍ରେସ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।
ଦୁଇ ଦଳର ଏଭଳି ଆରୋପ ପ୍ରତ୍ୟାରୋପ ମଧ୍ୟରେ କିନ୍ତୁ ଶାସକଳ ବିଜେଡି ଖୁବ ସହଜ ସ୍ଥିତିରେ ଅଛି । ଧାନ ବିକ୍ରି, ପୁସ୍ତକରେ ଗାନ୍ଧୀମୃତ୍ୟୁ ଭଳି ପ୍ରସଙ୍ଗକୁ ବାଦ୍ଦେଲେ ଦୁଇ ବିରୋଧି ଏକାଠି ହୋଇ ଶାସକଦଳକୁ ଅନ୍ୟ କୌଣସି ପ୍ରସଙ୍ଗରେ ଚେକ୍ ଦେଇପାରି ନାହାନ୍ତି । କଂଗ୍ରେସ-ବିଜେପିର ଏଭଳି ଚୋରା ପିରତୀ ଆରୋପ ଯୋଗୁଁ ଶାସକଦଳର ଅନେକ ଚିନ୍ତା ଦୂର ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି ।