Odia News Portal

ବିଜେପି କର୍ମୀଙ୍କ ମନୋବଳ ବଢାଇବେ ଅମିତ ଶାହା : ରୁଦ୍ଧଦ୍ୱାର ବୈଠକରେ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବାବେଳେ ଅଧିକାଂଶ ସମୟ ତାଙ୍କର ଦଳୀୟ କାର୍ଯ୍ୟକ୍ରମ ରହିଛି । ପ୍ରଥମାର୍ଦ୍ଧରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବାପରେ ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିବେ । ତେବେ ଓଡିଶା, ଝାଡଖଣ୍ଡ ଓ ଦିଲ୍ଲୀ ନିର୍ବାଚନ ପରେ ଦୁର୍ବଳ ହୋଇ ପଡୁଥିବା କର୍ମୀଙ୍କ ମନୋବଳ ବଢାଇବା
ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଛି । ଓଡିଶାରେ ବିଜେଡି ହାତରୁ ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀମାନେ ଏକ ପ୍ରକାର ହତାଶ ହୋଇପଡିଥିଲୋ  ଏହାପରେ ପଡୋଶୀ ଝାଡଖଣ୍ଡ ଉପରେ ଥିଲା ରାଜ୍ୟ ବିଜେପି ନେତାଙ୍କ ଆଖି ।
ହେଲେ ସେଠାରେ ସମସ୍ତ ପ୍ରକାର ପ୍ରଚାର ସତ୍ୱେ ବିଜେପି ସରକାର ଗଠନ କରିପାରିଲା ନାହିଁ । ଏହା ପଛକୁ ଆସିଲା ଦିଲ୍ଲୀ ବିଧାନସଭା ନିର୍ବାଚନ । ଦିଲ୍ଲୀରେ ଜିଣି ସବୁ କ୍ଷତ ଭରଣା ପାଇଁ କେନ୍ଦ୍ର ଠାରୁ ଆରମ୍ଭକରି ରାଜ୍ୟ ବିଜେପି ନେତାମାନେ ଆଶା ରଖିଥିଲେ । ଏଥିପାଇଁ ଓଡିଶାର ଛାମୁଆ ବିଜେପି ନେତାମାନେ ଦିଲ୍ଲୀରେ ଡେରା ପକାଇଥିଲେ । ହେଲେ କେଜ୍ରିୱାଲଙ୍କ ଯାଦୁ ଆଗରେ ବିଜେପି ସେଠି ଏକ ପ୍ରକାର ମାଟି କାମୁଡି ପକାଇଲା । ଏହା ପରଠାରୁ ଅନ୍ୟ ରାଜ୍ୟ ଭଳି ଓଡିଶା ବିଜେପିରେ ଏକ ପ୍ରକାର ହତାଶାଭାବ ପରିଲକ୍ଷିତ ହୋଇଛି । ଦଳୀୟ ନେତାମାନେ କିଭଳି ବିଜେଡି ଭଳି ଆଞ୍ଚଳିକ ଦଳକୁ ସାମ୍ନା କରିବେ ଜାଣିପାରୁ ନାହାନ୍ତି । ଏଥି ସହିତ ସିଏଏ କୁ ନେଇ ବିଜେପି ସମଗ୍ରରେ ଦେଶରେ ଏବେ ବି ଅକଳରେ ପଡିଛି । ଏଥି ସହିତ ଦିଲ୍ଲୀର ଛାତ୍ର ଆନ୍ଦୋଳନ ଓ ନିର୍ବାଚନ ପରବର୍ତ୍ତୀ ହିଂସା ବିଜେପିର ଛବିକୁ ମଳିନ କରିବାରେ ଲାଗିଛି । ରାଜ୍ୟ ବିଜେପିର କର୍ମୀମାନେ ବି ଏହାକୁ ଅଙ୍ଗେ ନିଭାଉଛନ୍ତି । ବିଶେଷକରି ଦିଲ୍ଲୀରେ ଶୋଚନୀୟ ପରାଜୟ ପରେ ସେମାନେ ଏକ ପ୍ରକାର ଭାଙ୍ଗି ପଡିଛନ୍ତି । ତେଣୁ ଶାହାଙ୍କ ଗସ୍ତ ଓଡିଶା ବିଜେପି ନେତା ଓ କର୍ମୀଙ୍କ ପାଇଁ ମୃତ୍ୟୁ ସଞ୍ଜିବନୀ ପ୍ରାୟ ହେବ ।
କର୍ମୀଙ୍କ ମନୋବଳ କିଭଳି ବୃଦ୍ଧି ପାଇବ ସେଥିପାଇଁ ତଳୁ ଉପର ପର୍ଯ୍ୟନ୍ତ କର୍ମୀଙ୍କ ସହିତ ଶାହା ରୁଦ୍ଧ ଦ୍ୱାର ବୈଠକ କରିବେ । ଏଥିପାଇଁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଆଲୋଚନା ହେବ । ଆଗକୁ ଓଡିଶାରେ ପୌର ନିର୍ବାଚନ, ସମବାୟ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଆଦି ହେବାକୁ ଥିବାରୁ କର୍ମୀମାନେ ଯେଭଳି ଅବସ୍ଥାରେ ଅଛନ୍ତି ସେଥିରେ ଉନ୍ନତି ପରିଲକ୍ଷିତ ନହେଲେ ବିଧାନସଭା ଭଳି
ପରାଜୟ ବରଣ କରିବାକୁ ପଡିବ । ଏହାର ବିଜେପିର ନେତାମାନେ ଭଲଭାବେ ଜାଣିଛନ୍ତି । ତେଣୁ ଶାହାଙ୍କ ଗସ୍ତ ସମୟରେ କିଛି ହେଉ କି ନହେଉ କର୍ମୀଙ୍କ ମନୋବଳ ଯେଭଳି ବଢିବ ସେଥିପାଇଁ ରାଜ୍ୟ ବିଜେପି ନେତାମାନେ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି । ଶାହାଙ୍କ ସଭାରେ ଯେଭଳି ଅଧିକରୁ ଅଧିକ ଲୋକ ସମାଗମ ହେବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡି ଭଳି ମହାଦ୍ରୁମକୁ ସାମ୍ନା କରିବାପାଇଁ ଯେଉଁ ମନୋବଳ ଆବଶ୍ୟକ ଶାହା କେତେଦୂର ତାହା ଦେଇପାରୁଛନ୍ତି ଆଗାମୀ ଦିନରେ ତାହା ଜଣାପଡିବ ।