ଭୁବନେଶ୍ୱର : ” ମୁଁ ଜଗନ୍ନାଥ ପ୍ରଧାନ , ଝାରପଡା , ଭୁବନେଶ୍ୱର । ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ଏହା ମୋର ନିଜ କାରଣ ଯୋଗୁ ଏହି ବଡ ନିଷ୍ପତ୍ତି ନେଲି ଗତ ୨୫ ବର୍ଷ ଧରି ମୁଁ ଏହି ଦଳରେ ରହି ଦଳ ସହିତ ମୋର ସମ୍ମାନ ରଖିଛି । କିନ୍ତୁ ମୋର ବ୍ୟକ୍ତିଗତ କାରଣରୁ ଦଳ ପାଇଁ ଅଧିକ ସମୟ ଦେଇପାରୁନାହିଁ । ତେଣୁ ମୋତେ କ୍ଷମା କରିବେ । ମୋର କୌଣସି ଦୋଷ ଧରିବେ ନାହିଁ । ଆପଣମାନଙ୍କ ପ୍ରତି ମୋର ସ୍ନେହ ଶ୍ରଦ୍ଧା ପୂର୍ବଭଳି ଅତୁଟ ରହିବ । ଇତି ଆପଣଙ୍କର ପ୍ରିୟ ଜଗନ୍ନାଥ ପ୍ରଧାନ , ଝାରପଡା .ଭୁବନେଶ୍ୱର ।”
ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପାଖକୁ ପଠାଇଥିବା ନିଜ ହାତଲେଖା ଇସ୍ତଫା ପତ୍ରରେ ଏତିକି ଲେଖି ବିଜେପି ସହିତ ଥିବା ୨୫ ବର୍ଷର ସମ୍ପର୍କକୁ ବାଏ ବାଏ କହିଦେଇଛନ୍ତି ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଚିଠିରେ ସିନା ଏଇଆ ଲେଖିଲେ, ହେଲେ ଅସଲ କାରଣ ହେଲା ଭୁବନେଶ୍ୱର ବିଜେପି ସଭାପତି ପଦାକୁ ନେଇ । ଆଜି ବିଜେପିନେତା ବାବୁ ସିଂଙ୍କୁ ଭୁବନେଶ୍ୱର ବିଜେପି ସଭାପତି କରିବା ପରେ ଜଗନ୍ନାଥ ଅପଦସ୍ତ ଅନୁଭବ କରି ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ତାଙ୍କ ନିକଟତମ ମହଲ ପ୍ରକାଶ କରିଛନ୍ତି । ଆଉ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ହେଉ ବା ଭୁବନେଶ୍ୱର ଜିଲ୍ଲା ସଂଗଠନ ପ୍ରସଙ୍ଗ ହେଉ,ଏହି ଦୁଇ ପ୍ରସଙ୍ଗକୁ ନେଇ ଦଳ ଭିତରେ କିଛିଦିନ ଧରି ଚାଲିଥିବା ଶୀତଳ ଯୁଦ୍ଧର ଏହା ପରିଣତି ବୋଲି ଦଳ ଭିତରେ ଚର୍ଚା ହେଉଛି । ଦୁଇ ଜଣ ବଡ ନେତାଙ୍କ ଭିତରେ ପତିଆରା ଲଢେଇ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଦଳର ଜଣେ ବରିଷ୍ଠ ନେତା ମତ ପ୍ରକାଶ କରିଛନ୍ତି ।
