ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ଏକଦା ରାଜ୍ୟ ବିଜେପିର ଆସେଟ କୁହାଯାଉଥିବାବେଳେ ଦଳ ପାଇଁ ଏବେ କିନ୍ତୁ ଏହି ମହିଳା ନେତ୍ରୀ ବୋଝ ପାଲଟିଲେଣି । ବିଶେଷକରି କରୋନା ମହାମାରୀ ସମୟରେ ସେ ଯେଭଳି ମୋଦି ସରକାରଙ୍କ ନିୟମକୁ ମୋଡି ମକଚି ଦେଉଛନ୍ତି ତାହା ଦେଖିଲାପରେ ଅନେକ ବିଜେପି ନେତା ଏହି ମତ ଦେଉଛନ୍ତି । ଏଥିଯୋଗୁଁ ସାରା ରାଜ୍ୟରେ ବିଜେପିର ଭାବମୂର୍ତ୍ତି ନଷ୍ଟ ହେଉଥିବାବେଳେ ରାଜ୍ୟର ବିଜେପିର ବଡପଣ୍ଡାମାନେ ଚୁପ୍ ରହିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କରୋନା ସଂକ୍ରମଣ ଜାରି ରହିଥିବାବେଳେ ଅପରାଜିତା ଦିଲ୍ଲୀରୁ ଫେରିଲେ । କାଳେ କିଏ ଜାଣି ନପାରିବ ସେଥିପାଇଁ ରାଜଧାନୀ ଟ୍ରେନରେ ଆସୁଥିବାର ଫଟୋ ସୋସିଆଲ ମିଡିଆରେ ଛାଡିଲୋ ରାଜଧାନୀରେ ପହଞ୍ଚିବାପରେ ଜନ୍ମଦିନ ପାଳନ କରି ଚର୍ଚ୍ଚାକୁ ଆସିଲେ । ମାଳ ମାଳ ମହିଳାଙ୍କ ଗହଣରେ ଜନ୍ମଦିନ ପାଳନ ଦୃଶ୍ୟ ଭାଇରାଲ ହେବାପରେ ସେଠାରେ ସାମାଜିକ ଦୂରତ୍ୱ ନଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସବୁଆଡୁ ଅପରାଜିତା ସମାଲୋଚନାର ଶରବ୍ୟ ହୋଇଥିଲେ । ରାଜଧାନୀବାସୀ ଭାବିଥିଲେ ଅପରାଜିତା ସୁଧୁରିଯିବୋ ହେଲେ ଆଇନ୍କୁ ସତେ ଯେମିତି ଭାଙ୍ଗିବାପାଇଁ ପଣ କରିଥିବା ଅପରାଜିତା ଏହାପରେ ହଂସପାଳ ଓଭରବ୍ରିଜ ଶୁଭ ଦିଆ ଅବସରରେ ଅନୁରୂପ କାଣ୍ଡ ଘଟାଇଲେ । ମାଳ ମାଳ ଲୋକଙ୍କ ଗହଳଣରେ ଫଟୋ ଉଠାଇ ପୁଣିଥରେ ଆଇନ୍ ଭାଙ୍ଗିଲେ । ଏହି ସମୟରେ ରାଜ୍ୟ ବିଜେପିରେ ଦେଖା ଦେଇଥିଲା ବିଦ୍ରୋହ ।
ଦଳର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଥିଲେ । ବର୍ଷକ ତଳେ ବିଜେଡିରୁ ଆସିଥିବା ବାବୁ ସିଂହଙ୍କୁ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ଭାବେ ନିଯୁକ୍ତି ମିଳିବାପରେ ଜଗନ୍ନାଥ ଦଳ ଛାଡିଥିଲେ । ହେଲେ ବିଜେପି ଜଗନ୍ନାଥଙ୍କୁ ଛାଡିବାକୁ ରାଜିନଥିଲା । କେନ୍ଦ୍ରମନ୍ତ୍ରୀଙ୍କ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ୨୪ଘଣ୍ଟା ଭିତରେ ମତ ବଦଳାଇ ବିଜେପିକୁ ଫେରିଥିଲେ । ହେଲେ ଏହି ଘଟଣାରେ ଶ୍ରେୟ ନେବାପାଇଁ ଅପରାଜିତା ଜଗନ୍ନାଥଙ୍କ ଘରେ ପହଞ୍ଚି ଫଟୋ ଉଠାଇଲେ । ସେଠି ବି ସାମାଜିକ ଦୂରତା ନିୟମ ମାନିଲେ ନାହିଁ । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଅପରାଜିତା ଏବେ ଠାରୁ ରାଜଧାନୀରେ ଆରମ୍ଭ କରିଦେଇଛନ୍ତି ଗୋଟି ଚାଳନା । ବାହାରିଛନ୍ତି ଜନସମ୍ପର୍କ ଅଭିଯାନରୋ ଅଭିଯାନ ପାଇଁ ମନା ନାହିଁ । ହେଲେ କରୋନା ଭଳି ମହାମାରୀ ସମୟରେ ଏଭଳି ଅଭିଯାନ କରୋନା ମୁକାବିଲାର ସବୁ ନିୟମକୁ ଜଳାଞ୍ଜଳି ଦେଉଛି । ସମସ୍ତେ ସବୁକିଛି ଦେଖୁଛନ୍ତି । ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ପଛାଉଛନ୍ତି ତାହା ଜଣାପଡୁନାହିଁ । ଯେତେବେଳେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ଠାରୁ କ୍ୟାମେରା ସାମ୍ନାରେ ପୁଲିସ୍ କରୋନା ନିୟମ ଭଙ୍ଗ ଅଭିଯୋଗରେ ୫୦୦ ଟଙ୍କାର ଜୋରିମାନା କାଟି ରସିଦ ଧରାଉଛି ଅପରାଜିତାଙ୍କ ପାଖରେ କାହିଁକି ଲାଙ୍ଗୁଡ ଜାକୁଛି ବୋଲି ଏବେ ଲୋକେ ପ୍ରଶ୍ନ କଲେଣି । “ତେବେ ସବୁଠାରୁ ବଡ କଥା ହେଉଛି ଅପରାଜିତା
ହେଉଛନ୍ତି ଯେ ପୂର୍ବତନ ଆଇଏଏସ୍ ଅଫିସର । ତେଣୁ ଆଇନ୍ କାନୁନ ବିଷୟରେ ସେ ଭଲଭାବେ ଅବଗତ । ସିଏ ଯେଉଁ ଦଳର ସାଂସଦ କେନ୍ଦ୍ରରେ ଥିବା ସେହି ଦଳର ସରକାର କରୋନା ମୁକାବିଲା ପାଇଁ ଆଇନ୍ ତିଆରି କରିଛି । ରାଜ୍ୟ ସରକାର କେବଳ ଲାଗୁ କରୁଛନ୍ତି ।
ତେଣୁ ଅପରାଜିତା କେନ୍ଦ୍ର ସରକାରଙ୍କ ଆଇନ୍କୁ ବୁଝିପାରୁ ନାହାନ୍ତି ନା ବୁଝି ଅବୁଝା ହେଉଛନ୍ତି ତାହା ରାଜ୍ୟ ବିଜେପିରେ ଅସନ୍ତୋଷ ଜଣାପଡୁନାହିଁ । କିଛି ବିଜେପି ନେତାଙ୍କ କହିବା କଥା ଯେ ଅପରାଜିତାଙ୍କଏଭଳି କାଣ୍ଡ ଯୋଗୁଁ ରାଜ୍ୟ ବିଜେପି ପ୍ରତିଦିନ ପ୍ରାୟ ଅକଳରେ ପଡୁଛି । ହେଲେ କୌଣସି କାରଣରୁ ରାଜ୍ୟ ବିଜେପିର ବଡ ନେତାମାନେ ଏ ନେଇ ପାଟି ଖୋଲୁ ନାହାନ୍ତି । ଫଳରେ ଅପରାଜିତାଙ୍କ ସାହସ ବଢିବାରେ ଲାଗିଛି । ଗୋଟିଏ ପଟେ ରାଜ୍ୟରେ କ୍ଷମତା ହାସଲ ପାଇଁ ବିଜେପିର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଲାଗି ପଡିଥିବାବେଳେ ଭୁବନେଶ୍ୱର ଭଳି ମର୍ଯ୍ୟାଦାଜନକ ଆସନରୁ ସାଂସଦ ହୋଇଥିବା ଅପରାଜିତା କିଭଳି ଭାବେ ଉଭୟ ଦଳ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା ହେବାର ସୁଯୋଗ ଦେଉଛନ୍ତି ? ଏହା ପଛରେ ଥିବା ରାଜନୀତିକୁ ଅନେକ ବୁଝିପାରୁ ନାହାନ୍ତି । ବିଜେପିର ଅନେକ ଶାଖା ଥିବାବେଳେ ଅପରାଜିତା ଯେଭଳି ଅଜିତା ନାମରେ ନିଜସ୍ୱ ସଂଗଠନ କରି ସମାନ୍ତରାଳ ଭାବେ ଚାଲିଛନ୍ତି ଓ ଆଇନ୍ କାନୁନ ମାନୁ ନାହାନ୍ତି ତାହା ଆଗାମୀ ଦିନରେ ଦଳ ପାଇଁ ବୁମେରାଂ ହେବ ବୋଲି ଦଳୀୟ କର୍ମୀମାନେ ଖୋଲାଖୋଲି ଭାବେ କହୁଛନ୍ତି ।