କେନ୍ଦୁଝର : ସାହାରପଡା ବ୍ଲକ୍ରେ ଖରିଫ ଧାନ କିଣା ଦୁର୍ନୀତି ଏବେ ରାଜ୍ୟସ୍ତରରେ ପହଞ୍ଚି ସାରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଧାନ କିଣା ଜାଲିଆତିରେ ସମ୍ପୃକ୍ତ ବୋଲି ଚାଷୀ ସଙ୍ଗଠନ ଅଭିଯୋଗ ଆଣିଛି । ବିଜେପି ସଭାପତିଙ୍କ ଚାଷଜମିରେ ଉତ୍ପାଦିତ ଧାନ ଠାରୁ ଯଥେଷ୍ଟ ଅଧିକ ଧାନ ସରକାରୀ ମଣ୍ଡିରେ ବିକିଥିବା ବେଳେ ତାଙ୍କ ଭାଇ ଜିଲ୍ଲା ପରିଷଦ ସଦସ୍ୟ ଶିବାଜୀ ମଧ୍ୟ କ୍ଷମତାର ଅପବ୍ୟବହାର କରି ଅଧିକ ଧାନ ବିକିଥିବା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ।
ସଙ୍ଗଠନର ଅଭିଯୋଗ ଯେ, ସାହାରପଡା ସମବାୟ ସମିତିର ଧାନମଣ୍ଡିରେ ଚଳିତ ଖରିଫ ଧାନକିଣାରେ ୩ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ହେରାଫେରି ହୋଇଛି । ହେଲେ ଫେବ୍ରୁଆରୀ ମାସରୁ ଧାନ ବିକିଥିବା ପ୍ରକୃତ ୬୮ ଜଣ ଚାଷୀ ପ୍ରାପ୍ୟ ପାଇନାହାନ୍ତି । ଏପଟେ ବିଜେପି ସଭାପତି ମାର୍ଚ୍ଚ ୨୪ ତାରିଖରେ ୧୨୦ କୁଇଣ୍ଟାଲ ଧାନ ବିକି ଏହାର ମୂଲ୍ୟ ପାଇଥିବା ରିପୋର୍ଟ ମିଳିଛି ।
ସମବାୟ ବିଭାଗର ଧାନକିଣା ଦାୟିତ୍ୱରେ ଥିବା ସାହାରପଡା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଖଗେଶ୍ୱର ମହାନ୍ତ ଓ ସହକାରୀ ଚିତ୍ତରଞ୍ଜନ ନାଏକ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଧାନକିଣା ଅନିୟମିତତାରେ ଜଡିତ ରହିଥିବାରୁ ଏଭଳି ଚଞ୍ଚକତା ସମ୍ଭବ ହୋଇପାରିଛି ବୋଲି ଅଭିଯୋଗ କରାଯାଇଛି । ଘଟଣାକୁ ଚପାଇ ଦେବାକୁ ଯାଇ ସମବାୟ ବିଭାଗ ଏହି ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିବା ସହିତ ଥାନାରେ ମଧ୍ୟ ଏତଲା ଦେଇଛି । ବାରମ୍ବାର ଖବର ପ୍ରକାଶ ପରେ ପୁଲିସ ଅଭିଯୁକ୍ତ ଦ୍ୱୟକୁ ଥାନାରେ ଅଟକ ରଖିଛି । ଅନ୍ୟପକ୍ଷରେ ୬୮ ଜଣ ଚାଷୀ ପାଉଣା ନପାଇଲେ ଆସନ୍ତା ୮ ତାରିଖରୁ ଆମରଣ ଅନଶନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।
ଅଂଶୁମାନ କହିଛନ୍ତି, ତାଙ୍କର ପୈତୃକ ସମ୍ପତ୍ତି ୮୬ ଏକର ଜମି ରହିଛି । ତେଣୁ ଧାନ ବିକିବା ପାଇଁ ଯେତିକି ଜମିର ଆବଶ୍ୟକତା ସେହି ପଟ୍ଟା ଜରିଆରେ ପଞ୍ଜୀକରଣ କରିଛନ୍ତି । କ୍ଷମତାର କୌଣସି ଅପବ୍ୟବହାର ସେ କରିନାହାନ୍ତି । କେତେକ ହୀନ ରାଜନୈତିକ ଏବଂ କ୍ଷମତାହୀନ ଲୋକେ ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ।