Odia News Portal

ସପ୍ତରଥୀଙ୍କ ଘେରରେ ବିଜେପିର ବିଜୟ

ଭୁବନେଶ୍ୱର : ପାଟକୁରା ଉପନିର୍ବାଚନର ଭୋଟଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ବି ସେତିକି ଜମୁଛି । କେହି କାହାରିକୁ ଛାଡିବାକୁ ନାରାଜ । ବିଜେପି ପ୍ରାର୍ଥୀ ବିଜୟ ଏବେ ପାଟକୁରାରେ ବିଜେଡିର ସପ୍ତରଥୀଙ୍କ କବଳରେ । ଶାସକଦଳର ସାତ ତୁଙ୍ଗନେତା ଏଠାରେ ଗୋଟି ଚାଳନା କରୁଥିବାବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୩୦ହଜାରରୁ ଅଧିକ ଭୋଟରେ ବିଜୟୀ ହେବେବାଲି ଆକଳନ କରାଯାଇଛି । ପାଟକୁରା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏଠାରେ ବିଜେଡିର ରଣନୀତି ପରିଚାଳନା କରୁଛନ୍ତି ଦଳର
ଯୁବନେତା ତଥା ମବୀ ଡକ୍ଟର ଅରୁଣ କୁମାର ସାହୁ । ତାଙ୍କ ସହିତ ଅଛନ୍ତି ମବୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦଳର ଯୋଜନା
ପ୍ରସ୍ତୁତକାରୀ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳର ଉପମୁଖ୍ୟ ସଚେତକ ପ୍ରଣବ ବଳବନ୍ତ ରାୟ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମବୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ସଞ୍ଜୟ କୁମାର ଦାଶବର୍ମା ।


ଏହି ସପ୍ତରଥୀଙ୍କ ଘେରରେ ଏବେ ବିଜୟ ରହିଥିବା କୁହାଯାଉଛି । ଦଳର ଏହି ସପ୍ତରଥୀଙ୍କୁ ସହାୟତା କରିବାପାଇଁ
ପ୍ରତିଦିନ ମବୀ, ବିଧାୟକଙ୍କ ସମେତ ବିଜେଡିର ଛାମୁଆ ନେତାମାନେ ପାଟକୁରା ଗସ୍ତ କରୁଛନ୍ତି । ଅରୁଣଙ୍କ ନେତୃତ୍ୱରେ ପାଟକୁରା ରଣନୀତି ପରିଚାଳନା ହେଉଥିବାବେଳେ ଆଗରେ ଅଛନ୍ତି ପୁଷ୍ପନ୍ଦ୍ର ଓ ସଞ୍ଜୟ । ପୂର୍ବତନ ମବୀ ଶ୍ରୀ ସିଂହଦେଓଙ୍କ ପ୍ରଚାର ଲୋକଙ୍କୁ ଆକର୍ଷିତ କରୁଥିବାବେଳେ ଦଳର ସମସ୍ତ ନେତାଙ୍କୁ ସେ ସାଙ୍ଗରେ ନେଇ ଚାଲୁଥିବା ଲକ୍ଷ୍ୟ କରାଯାଉଛି । ଯଦିଓ ଏହି ନିର୍ବାଚନମଣ୍ଡଳୀରେ ଏବେ ବିଜେଡିର କିଛିଟା ଗୋଷ୍ଠି କନ୍ଦଳ ରହିଛି ତେବେ ସପ୍ତରଥୀଙ୍କ ନିର୍ବାଚନୀ ପରିଚାଳନା ତାହାକୁ ଏକ ପ୍ରକାର ପ୍ରଶମିତ କରିଛି । ବିଶେଷକରି ଗରଦପୁର ଓ ଡେରାବିଶ ବ୍ଲକକୁ ନେଇ ଯେଉଁ ଚିନ୍ତା ଥିଲା ତାହା ଦୂରହୋଇଛି । ଅନ୍ୟ ପକ୍ଷରେ ବିଜୟଙ୍କ ପାଇଁ କେନ୍ଦ୍ରମବୀ ପ୍ରତାପ ଷଡଙ୍ଗୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଘନ ଘନ ପ୍ରଚାର କରୁଛନ୍ତି । ଦଳର ଅନ୍ୟତମ ତୁଣ୍ଡ ଡାକ୍ତର ଦାମୋଦର ରାଉତ ବି ଇତି ମଧ୍ୟରେ ବିଜୟଙ୍କ ପାଇଁ ପ୍ରଚାର କରିବାରେ ଲାଗିଛନ୍ତି । ହେଲେ ନିର୍ବାଚନମଣ୍ଡଳୀରେ ବିଜେଡିର ଯୁବନେତାମାନେ ପ୍ରଚାରରେ ମାତିଥିବାରୁ ଯୁବଭୋଟରମାନେ ବିଜେପି ଆଡକୁ ସେଭଳି ଢଳୁଥିବା ଲକ୍ଷ୍ୟ କରାଯାଉନାହିଁ । ଆଗାମୀ ଦିନରେ ବିଜେପିର କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଆଉ କିଛି ବରିନେତା ପାଟକୁରା ଗସ୍ତ କରୁଥିବାର ସୂଚନା ମିଳିଛି । ତେବେ ବିଜେଡି-ବିଜେପିର ଏହି ମହାସମରର ଶେଷ ପର୍ବରେ ସାମିଲ ହେବାକୁ କଂଗ୍ରେସ ଅଣ୍ଟା ଭିଡିଛି । ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି କଂଗ୍ରେସ ତାହାର ୪୦ଜଣିଆ ଜୁମ୍ବୋ ଟିମ୍‍ ଘୋଷଣା କରିଥିବାବେଳେ କେବେ ମଇଦାନକୁ ଓହ୍ଲାଇବେ ତାହାର ସଠିକ୍‍ ସୂଚନା ମିଳୁନାହିଁ । ଦଳୀୟ ନେତାଙ୍କ ଏଭଳି ନିରବ ଆଚରଣରେ ତଳ ସ୍ତରର ବହୁ କଂଗ୍ରେସ କର୍ମୀ ଇତି ମଧ୍ୟରେ ବିଜେଡି ମୁହାଁ ହୋଇଥିବାବେଳେ ସେମାନଙ୍କୁ ହାତେଇବାପାଇଁ ବିଜେପି ବି ଉଦ୍ୟମ ଆରମ୍ଭ କରିବ ।