ବାଲେଶ୍ୱର : ଖଇରା ଥାନା ଅନ୍ତର୍ଗତ କଲିହା ଗ୍ରାମରେ ଅଭାବନୀୟ ଘଟଣା । ଜଣେ ୬୮ବର୍ଷର ବୃଦ୍ଧଙ୍କୁ ୫ଘଣ୍ଟା ଧରି ଗଛରେ ବାନ୍ଧି ରଖିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ଅନୁସାରେ କଲିହା ଗ୍ରାମର ଦିବାକର ବାରିକ ୪ମାସ ପୂର୍ବରୁ ବାସୁଦେବପୁର ଗ୍ରାମର ଅଭୟ ଜେନାଙ୍କ ଟ୍ରାକ୍ଟରରେ ହଳ କରିଥିଲେ । ପରେ ୫୪୦ଟଙ୍କା ବାକି ଥିବାରୁ ଅଭୟ ବାରମ୍ବାର ଦିବାକରଙ୍କୁ ମାଗିଥିଲେ । ହେଲେ ଦିବାକର ଟଙ୍କା ଦେଇ ପାରିନଥିଲେ । ଏନେଇ ଦିବାକର ଅଭୟଙ୍କ ଗାଁ ଦେଇ ଯାଉଥିବାରୁ ଅଭୟ ପ୍ରଥମେ ଏକ କାଠ ଫାଳିଆରେ ତାଙ୍କୁ ଆକ୍ରମଣ କରିଥିଲେ । ପରେ ଦିନ ୧୨ଟାରୁ ୫ଟା ପଯ୍ୟର୍ନ୍ତ ଗଛରେ ବାନ୍ଧି ରଖିଥିଲେ । ଘଟଣାସ୍ଥଳରେ ଖଇରା ପୋଲିସ ଦିବାକରଙ୍କୁ ଉଦ୍ଧାର କରିବା ସହ ଅଭୟକୁ ଅଟକ ରଖି ତଦନ୍ତ କରୁଛି ।
