ଭୁବନେଶ୍ୱର : ଚଳିତବର୍ଷ ସାୟତ୍ତଶାସନ ଦିବସରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଇଲାକାରେ ଅନେକଗୁଡିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଯୋଜନା ହୋଇଛି । ଏଥିପାଇଁ ପ୍ରଶାସନ ଲାଗି ପଡ଼ିଥିବାବେଳେ ଯୋଗଦେବା ପାଇଁ ଜନପ୍ରତିନିଧିମାନେ ନାହାନ୍ତି । ତେବେ ଗତ କିଛିବର୍ଷ ଧରି ସାୟତ୍ତଶାସନ ଦିବସରେ ସହରବାସୀଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ତାହାକୁ କାର୍ଯ୍ୟକାରୀ ନକରିବାର ପାପ ଏଥର କିଏ ମୁଣ୍ଡାଇବ ତାହାକୁ ନେଇ ଚର୍ଚ୍ଚା ହେଉଛି ।
କାର୍ଯ୍ୟକାଳ ଅବଧି ସରିଯାଇଥିବାରୁ ବିଏମ୍ସିରେ ଏବେ ମେୟର, ଡେପୁଟି ମେୟର କି କର୍ପୋରେଟର କେହି ନାହାନ୍ତି । ସବୁ ଦାୟିତ୍ୱ ଅଫିସରଙ୍କ ହାତରେ । ତେଣୁ ଲୋକେ କାହାକୁ ପ୍ରଶ୍ନ କରିବେ ଜାଣିପାରୁ ନାହାନ୍ତି । ସହରର କିଛି ବୁଦ୍ଧିଜୀବୀଙ୍କ କଥା ହେଲା ଗତ ଦୁଇତିନିବର୍ଷ ଧରି ଅନେକ ଲୋଭନୀୟ ଯୋଜନାର ଉଦ୍ଘାଟନ, ଶିଳାନ୍ୟାସ ଆଦି ହୋଇଥିବାବେଳେ ସେଥିରୁ କିଏ ଅକାମୀ ତ ଆଉ କିଏ ମୂଳରୁ ଜନ୍ମନେଇ ପାରିନାହାନ୍ତି । ଏ ସଂକ୍ରାନ୍ତରେ ମେୟର କିମ୍ବା କର୍ପୋରେଟରମାନେ ଉତ୍ତର ଦେଇଥାନ୍ତେ । ହେଲେ ମେୟର ଏବେ ବିଧାୟକ ହୋଇଥିବାବେଳେ କର୍ପୋରେଟରମାନଙ୍କର କ୍ଷମତା ନାହିଁ । ତେଣୁ ନିଗମ ପ୍ରଶ୍ନର ଉତ୍ତର ସେମାନେ ଦେବା ସମ୍ଭବ ନୁହେଁ ।
କେତେକ ଉଦାହରଣ ଦେଇ ଲୋକେ କହିଛନ୍ତି ଯେ ସହରର ଭିତରୁ ମାଛ ଓ ପରିବା ହାଟ ଉଠାଇବାପାଇଁ ବିଏମ୍ସି ପ୍ରତିବର୍ଷ ସାୟତ୍ତଶାସନ ଦିବସରେ ପ୍ରତିଶ୍ରୁତି ଦେଇଆସୁଛି । ପରିବାହାଟକୁ ଆଇଗିଣିଆ ଓ ମାଛହାଟକୁ କୁଆଖାଇ କୂଳକୁ ନିଆଯିବ ବୋଲି କୁହାଯାଇଥିଲା । ହେଲେ ଏବେ ଅବସ୍ଥା ଯେଉଁଠିଥିଲା ସେଇଠି । ସହରର ରାସ୍ତାକଡରୁ ସର୍ବସମ୍ମୁଖରେ ଛେଳି ବଧ ହଟାଇବା ପାଇଁ ୫କୋଟି ଟଙ୍କା ବ୍ୟୟରେ କଂସେଇଖାନା ତିଆରି କରି ତାହାକୁ ଦୁଇବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଉଦ୍ଘାଟନ କରିଦେଲେ । ହେଲେ ଉଦ୍ଘାଟନ ପରଠାରୁ ସେଠାରେ ତାଲା । ଏବେ ରାଜଧାନୀର ରାସ୍ତାକଡ଼ କଂସେଇଖାନା ପାଲଟିଛି । ଡ୍ରେନେଜ, ସ୍ୱରେଜ, ଜମି ଜବରଦଖଲ ସମସ୍ୟା ସବୁ କମିବା ପରିବର୍ତ୍ତେ ବଢି ବଢ଼ି ଚାଲିଛି । ସବୁଠୁ ବଡ ସମସ୍ୟା ପାଲଟିଛି ପାର୍କିଂ ସମସ୍ୟା । ବିଏମ୍ସି ରାସ୍ତାଘାଟ ଜବରଦଖଲ କରି ପଇସା ଆଦାୟ କରୁଛି । ଶୁଣିବାକୁ କେହି ନାହିଁ । ଲୋକେ ନାହିଁ ନଥିବା ଦୁର୍ଦ୍ଧଶାର ସମ୍ମୁଖୀନ । ସାଧାରଣ ଲୋକଙ୍କ ଏଭଳି ମୌଳିକ ସମସ୍ୟା ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତର ଏଥର ସାୟତ ଶାସନ ଦିବସରେ ସେବାକୁ କେହି ନାହାନ୍ତି । ପ୍ରତିଶ୍ରୁତିର ଏଭଳି ପାପ କିଏ ମୁଣ୍ଡାଇବ ତାହାକୁ ନେଇ ଚର୍ଚ୍ଚା । କାରଣ ବିଏମ୍ସିରେ ଏବେ ଯେଉଁ ଅଧିକାରୀମାନେ ମଙ୍ଗ ଧରିଛନ୍ତି ସେମାନେ ପ୍ରାୟତଃ ସମସ୍ତେ ନୂଆ । ତେଣୁ ସୌଜନ୍ୟତା ଦୃଷ୍ଟିରୁ ଲୋକେ ସେମାନଙ୍କୁ ପ୍ରଶ୍ନ ପଚାରିବେ ନାହିଁ ।
ଏଭଳି ଅବସ୍ଥା ଦେଖି କିଛି କର୍ପୋରେଟର ଏବେ ମନେ ମନେ କୁରୁଳୁଛନ୍ତି । ଦୁଇବର୍ଷ ହେଲା ଦଶହରା ସମୟରେ ହାତାପାଣ୍ଠି ଆକାରରେ ନିଗମରୁ ଲକ୍ଷାଧିକ ଟଙ୍କା ନେଇ ଯାହାସବୁ କରିଛନ୍ତି ତାହାର ଉତ୍ତର ଆଉ ସେମାନଙ୍କୁ ଦେବାକୁ ପଡିବନାହିଁ । ଯଦି କିଏ ପଚାରିବ ତେବେ ଆଉ ଚଉକି ନାହିଁ କହି ସବୁଦୋଷ ଅଫିସରଙ୍କ ଉପରକୁ ଠେଲିଦେବାପାଇଁ ଅନେକ ମନସ୍ଥିର କରିଥିବା ସୂଚନା ମିଳିଛି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )