ଭୁବନେଶ୍ବର: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ । ପୁଣିଥରେ କରୋନା ସଂକ୍ରମଣ ଫେରୁଥିବାକୁ ଦୃଷ୍ଟିରେ ରଖି ରାଜଧାନୀବାସୀଙ୍କୁ ମାସ୍କ୍, ସାମାଜିକ ଦୂରତା ରକ୍ଷା କରିବା ପାଇଁ ବିଏମସି କମିସନର ପରାମର୍ଶ ଦେଇଛନ୍ତି। ଏହାଛଡ଼ା ଲୋକଙ୍କୁ ସଚେତନ କରିବା ପାଇଁ ପାଞ୍ଚଟି ସ୍କ୍ୱାଡ଼ ଗଠନ କରାଯାଇଛି ।
ସଂକ୍ରମଣରୁ କିପରି ରକ୍ଷା ପାଇ ହେବ ସେଥିପାଇଁ ବଜାର, ସପିଂ ମଲ୍ ମନ୍ଦିର ନିକଟରେ ସକାଳେ ଓ ସନ୍ଧ୍ୟାରେ ମାଇକ ଯୋଗେ ପ୍ରଚାର କରାଯାଉଛି । କୋଭିଡ୍ ସଚେତକଙ୍କୁ ପୁଣି ଆଲର୍ଟ କରାଯାଇଛି। ଏଥିସହିତ ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।
କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ଅଲଗା ସ୍କୁଆଡ ଗଠନ କରାଯାଇଛି। ସେପଟେ ଆଇ ଆର୍ ସି ଭିଲେଜ୍ ହାଇସ୍କୁଲରେ ଜଣେ ଶିକ୍ଷକ ପଜିଟିଭି ଚିହ୍ନଟ ହେବାପରେ ସ୍କୁଲକୁ ଦୁଇ ଦିନ ଯାଏ ବନ୍ଦ କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ କିମ୍ବା ସହ ଶିକ୍ଷକଙ୍କ ଠାରେ କୌଣସି ଫ୍ଲୁ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କ କୋବିଡ୍ ପରୀକ୍ଷା କରାଯିବ। ତେବେ ବର୍ତ୍ତମାନ ପରିସ୍ଥିତି ଉପରେ ବିଏମସି ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଗତ ସପ୍ତାହ ରାଜଧାନୀର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ତାଙ୍କର କରୋନା ପରୀକ୍ଷା କରିବାରୁ ଜଣାପଡ଼ିଲା ଯେ, ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ଯେହେତୁ ସେ ପାଠ ପଢ଼ାଇବା ସମୟରେ ପିଲାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେଥିପାଇଁ ସ୍କୁଲକୁ ୨ଦିନ ଛୁଟି କରାଯାଇ ବିଶୋଧନ କାର୍ଯ୍ୟ କରାଯାଉଛି।
ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ସେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଡିଇଓଙ୍କ ସହ ସମ୍ପର୍କରେ ଅଛନ୍ତି। ଯଦି ଅନ୍ୟ ମାନଙ୍କର ଲକ୍ଷଣ ଦେଖାଯାଏ, ତାହେଲେ ସେମାନଙ୍କର ପରୀକ୍ଷା କରାଯିବ। ତେବେ ଏଯାଏଁ ପିଲାମାନଙ୍କର କୋଭିଡ ପରୀକ୍ଷା କରାଯାଇ ନାହିଁ। ଯଦି ପିଲାଙ୍କର କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କର ପରୀକ୍ଷା କରାଯିବ ବୋଲି ବି.ଏମ.ସି କମିସନର ସୂଚନା ଦେଇଛନ୍ତି।