Odia News Portal

ବ୍ଲାକମେଲିଂ କରିବା ମହଙ୍ଗା ପଡିଲା, ୪ ନକଲି ସାମ୍ବାଦିକ ଗିରଫ

ବରଗଡ଼ :  ବରଗଡ ଜିଲ୍ଲା  ଶିଳ୍ପ କେନ୍ଦ୍ର ଅଧିକାରୀଙ୍କୁ ବ୍ଲାକମେଲିଂ କରିବା ମହଙ୍ଗା ପଡିଲା।ବରଗଡ ଟାଉନଥାନା ପୋଲିସ ୪ ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ଟଙ୍କା, ମୋବାଇଲଫୋନ, ଆଇପଡ, ଲାପଟପ, ଆଇଡେଣ୍ଟିଟି କାର୍ଡ, ଗୋଟିଏ କ୍ୟାମେରା, ବୁମ ସମେତ ସେମାନେ ବ୍ୟବହାର କରୁଥିବା ଛତିଶଗଡ ନମ୍ବରର ଏକ କାରକୁ ଜବତ କରିଛି। ଗିରଫ ୪ ଜଣ ହେଲେ ବିଶାଲ ଗମ୍ଭୀର, ଇମ୍ରାନ ଖାନ, ଅନୁଜ ଅଗ୍ରୱାଲ ଓ ତପନ କୁମାର ସାହୁ। ବିଶାଲ, ଇମ୍ରାନ ଓ ଅନୁଜ ଉତ୍ତରପ୍ରଦେଶ ନୋୟଡାର ବୋଲି ଜଣା ପଡିଥିବା ବେଳେ ତପନ ଖୋର୍ଦ୍ଧାର। ଗତ ୧୨ ତାରିଖ ଦିନ ୪ ଜଣ ଫ୍ଲାଏ ଆସ୍ ଇଟା କାରଖାନା ସ୍ଥାପନା କରିବା ବାହାନାରେ ବରଗଡ ଜିଲ୍ଲା ଶିଳ୍ପକେନ୍ଦ୍ରକୁ ଯାଇଥିଲେ। ଶିଳ୍ପକେନ୍ଦ୍ରର ଜିଏମ ମନୋଜ କୁମାର ଶତପଥୀଙ୍କୁ ଭେଟି ଏ ନେଇ ଥିବା ସରକାରୀ ଯୋଜନା ବିଷୟରେ ଜାଣିବାକୁ ଚାହିଁଥିଲେ। ଏପପିରିକି ସେମାନେ ସରକାରୀଯୋଜନାରେ ସେମାନଙ୍କୁ କାରଖାନା କରାଇଦେଲେ ଲାଞ୍ଚ ଦେବେ ବୋଲିମଧ୍ୟ କହିଥିଲେ। ତେବେ ଜିଏମଙ୍କ ଅଜାଣତରେ ସେମାନେ ଏହି ଆଲୋଚନାର ରେକର୍ଡିଂ କରୁଥିଲେ। ପରେ ତାଙ୍କୁ ରେକର୍ଡିଂ ସୁଣାଇ ସେମାନେ ସାମ୍ବାଦିକ ବୋଲି ପରିଚୟ ଦେବା ସହ ତାଙ୍କୁ ଭୟଭୀତ କରି  ତାଙ୍କଠାରୁ ଟଙ୍କା ଦାବି କରିଥିଲେ। ପ୍ରଥମେ ସେମାନେ ୫ ଲକ୍ଷ ଟଙ୍କା ପାଇଁ ଦାବି କରିଥିବା ବେଳେ ପରେ ୩ଲକ୍ଷ ଟଙ୍କାରେ ରାଜି ହୋଇଯାଇଥିଲେ। ତେବେ ବ୍ୟାଙ୍କରୁ ଏତେ ଟଙ୍କା ନଗଦ  ୱିଡ୍ର କରିବା ସମ୍ଭବ ନ ହେବାରୁ ଜିଏମଙ୍କୁ ସାଙ୍ଗରେ ଏଟିଏମ କାଉଣ୍ଟରକୁ ନେଇ ମୁଣ୍ଡରେ ବନ୍ଧୁକ ଲଗାଇ ୨୦ ହଜାର ଟଙ୍କା ନେଇଯାଇଥିଲେ ଓ ପରେ ଆସିବୋଲି କହିଯାଇଥିଲେ। ସେହି ଅନୁସାରେ ଠକମାନେ ଗତ ୧୮ ତାରିଖ ଦିନ ବାକି ଟଙ୍କା ନେବାକୁ ପୁଣି ଆସିଥିବା ବେଳେ ପୂର୍ବରୁ ଜିଏମ୍ ଏ ନେଇ ପୋଲିସରେ କରିଥିବା ଲିଖିତ ଅଭିଯୋଗ ଆଧାରରେ ଟାଉନ ଥାନାର ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରି ଠକମାନଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୧୯ ହଜାର ୬୮୦ଟଙ୍କା ସମେତ ୮ଟି ମୋବାଇଲ ଫୋନ, ଗୋଟିଏ ଆଇପଡ, ଗୋଟିଏ ଲାପଟପ, ୨ଟି ବୁମ, ଗୋଟିଏ ବଡ କ୍ୟାମେରା, ୪ଟି ଆଇଡେଣ୍ଟିଟି କାର୍ଡ  ସହ ସେମାନ ବ୍ୟବହାରକରୁଥିବା ଛତିଶଗଡ ନମ୍ବରର ଗୋଟିଏ କାରକୁ ଜବତ କରିଛି।