ବ୍ରହ୍ମପୁର : ବାପାକୁ ପିଟି ପିଟି ମାରିଦେଲା ପୁଅ । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ । ବାପା ଅଭି ନାୟକଙ୍କୁ ପୁଅ ସୀମାଞ୍ଚଳ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପୁଅ ସୀମାଞ୍ଚଳକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ । ସୂଚନାଯୋଗ୍ୟ ଯେ, ମୃତ ଅଭି ନାୟକଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଅଭିଯୁକ୍ତ ସୀମାଞ୍ଚଳ ସାନ ପୁଅ । ବଡପୁଅ ସିକିରିରେ ରହନ୍ତି । ବଡ ପୁଅ ପାଖରେ ହିଁ ବାପା ଅଭି ରହୁଥିଲେ । କିଛିଦିନ ତଳେ ଅଭିଯୁକ୍ତ ବାପା ଓ ଭାଇଙ୍କୁ ଦେଖା କରିବାକୁ ସିକିରି ଯାଇଥିଲା । ତେବେ କୌଣସି କାରଣରୁ ସେଠାରେ ଲୋକଙ୍କ ସହ ସୀମାଞ୍ଚଳର ଝଗଡା ହୋଇଥିଲା । ସୀମାଞ୍ଚଳ ଅତ୍ୟଧିକ ମଦ୍ୟପାନ କରୁଥିଲା । ସିକିରିରେ ଲୋକଙ୍କ ସହ ଝଗଡା ବେଳେ ସୀମାଞ୍ଚଳକୁ ଲୋକେ ବହୁତ ମାର ପିଟ ମଧ୍ୟ କରିଥିଲେ । ସିକିରିରେ ଲୋକଙ୍କଠୁ ମାଡ ଖାଇବାପରେ ସିମାଞ୍ଚଳ ଆଉ ଭାଇ ଘରକୁ ନଯାଇ ସିଧାସଳଖ ନିଜ ଗାଁ ଲାଠି ଫେରିଥିଲା । ତେବେ ସାନପୁଅର କଣ ଅବସ୍ଥା ବୋଲି ଚିନ୍ତିତ ହୋଇ ଗତକାଲି ବାପା ଅଭି ନାୟକ ଲାଠି ଆସିଥିଲେ ପୁଅକୁ ଦେଖିବା ପାଇଁ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ବାପ ପୁଅଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଝଗଡା ବେଳେ ସିମାଞ୍ଚଳର ଆକ୍ରମଣରେ ଅଭି ନାୟକଙ୍କ ମୃତ୍ୟୁ ହୋଇଛି ।
