ବାରିପଦା: ସ୍କୁଲ ଯିବା ବାଟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରକୁ କୁକୁର ଝୁଣିଦେଲା । ଫଳରେ ରିଙ୍କୁ ମହାରଣା ନାମକ ପିଲାଟିର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ରାହନ୍ଦାର ବାଲିସୁଦୁରା ଗ୍ରାମରେ ଏହି ଅଘଟଣ ଘଟିଛି । ଆଜି ସକାଳେ ରିଙ୍କୁ ସ୍କୁଲ ଯିବା ବାଟରେ କୁକୁର ତାକୁ କାମୁଡ଼ିଥିଲା । ଏପରି ହୃଦୟ ବିଦାରକ ଘଟଣା ଯଶୀପୁର ଅଞ୍ଚଳରେ ଆଲଡ଼ନ ସୃଷ୍ଟି କରିଥିବା ବେଳେ ଶୋକର ଛାୟା ଖେଳିଯାଇଛି ।
ପୂରା ଘଟଣା ଏହି ପରି ଥିଲା । ଆଜି ସକାଳ ୯ଟାରେ ପ୍ରତିଦିନ ଭଳି ବାଲିସୁଦୁରା ଗ୍ରାମର ଶର୍ମା ମହାରଣାଙ୍କ ପୁଅ ରିଙ୍କୁ ଘରୁ ବିଲ ରାସ୍ତା ଦେଇ ସ୍କୁଲ ଯାଉଥିଲା । ଏତିକି ବେଳେ କିଛି କୁକୁର ଛେଳିମାନଙ୍କ ପଛରେ ଦୌଡୁଥିଲେ । ଗାଁ ଲୋକଙ୍କ କହିବା କଥା ରଙ୍କୁୁ ସେମାନଙ୍କ ପାଖ ଦେଇ ଗଲା ବେଳେ କୁକୁରଙ୍କ ଦୌଡ଼ା ଦେଖି ଭୟରେ ତଳେ ପଡ଼ି ଯାଇଥିଲା । ସଂଗେ ସଂଗେ କୁକୁରମାନେ ଛେଳିଙ୍କୁ ଛାଡ଼ି ରିଙ୍କୁକୁ କାମୁଡ଼ିବା ଆରମ୍ଭ କରି ଦେଇଥିଲେ । ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ସେମାନେ ରିଙ୍କୁକୁ ରକ୍ତାକ୍ତ କରି ମାରି ସାରିଥିଲେ । ପରେ ଯଶୀପୁର ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ରିଙ୍କୁ ସ୍ଥାନୀୟ ରାହାନ୍ଦା ନୋଡାଲ ୟୁପି ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ର । ତାର ମୃତ୍ୟୁରେ ସାରା ଅଞ୍ଚଳ ଶୋକରେ ଡୁବି ଯାଇଛି । ରିଙ୍କୁ ଏକ ଗରିବ ପରିବାରର ହୋଇଥିବାରୁ ତାଙ୍କ ବାପା ମା’ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
Sign in
Sign in
Recover your password.
A password will be e-mailed to you.