ସୋନପୁର : କରୋନା ଭାଇରସ୍ ନେଇ ରାଜ୍ୟ ସରକାର କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିଛନ୍ତି । ଆଉ ପ୍ରବାସରୁ ଫେରୁଥିବା ଆମ ରାଜ୍ୟର ଭାଇ ଭଉଣୀମାନେ ସେଠାରେ ନିର୍ଦ୍ଦିଷ୍ଟ ଦିନ ରହିବା ପରେ ଘରକୁ ଯିବାକୁ ଅନୁମତି ଦିଆଯାଉଛି। ସଂପୃକ୍ତ ଅଞ୍ଚଳର କ୍ୱାରେଣ୍ଟାଇନ୍ କେନ୍ଦ୍ର ଦାୟିତ୍ୱ ସେହି ଅଞ୍ଚଳର ସରପଞ୍ଚଙ୍କୁ ଦିଆଯାଇଛି । ରହିବା ଠାରୁ ନେଇ ଖାଇବା ପର୍ଯ୍ୟନ୍ତ ସବୁ ଦାୟିତ୍ୱର ତଦାରଖ କରିବେ ସରପଞ୍ଚ । ଏବେ ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ସରପଞ୍ଚଙ୍କ ଦୁର୍ବ୍ୟବାହର ନେଇ ଖବର ସାମନାକୁ ଆସିଛି । ଯାହା ସୋସିଆଲ ମିଡ଼ିଆରେ ଭାଇରଲ୍ ହୋଇଛି ।
ଘଟଣାଟି ଘଟିଛି ଡୁଙ୍ଗୁରୀପାଲ୍ଲୀ ବ୍ଲକ୍ , ଅନ୍ଧାରୀବାଞ୍ଜି ପଞ୍ଚାୟତର କ୍ୱାରେଣ୍ଚାଇନ୍ କେନ୍ଦ୍ରରେ । ଏଠାରେ କ୍ୱାରେଣ୍ଟାଇନ୍ ଥିବା ଜଣେ ଯୁବତୀଙ୍କୁ ସେହି କ୍ୱାରେଣ୍ଟାଇନ୍ କେନ୍ଦ୍ରର ସରପଞ୍ଚ ଖରାପ ବ୍ୟବାହାର କରିଥିବା ସଂପୃକ୍ତ ଯୁବତୀ ଅଭିଯୋଗ କରିଛନ୍ତି ।
ଯୁବତୀଙ୍କ ଅଭିଯୋଗ ମୁତାବକ , କୋଏମ୍ୱାଟୁରରେ ସେ କାମ କରୁଥିଲେ। କରୋନା ଲକ୍ ଡାଉନ୍ ଯୋଗୁ ଗାଁକୁ ଫେରିଥିଲେ । କଣ୍ଟାବାଞ୍ଜି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିଥିଲେ । ସେଠାରେ ତାଙ୍କ ବ୍ୟତୀତ ଆଉ କେହି ମହିଳା ନଥିଲେ ।ତାଙ୍କୁ ଗୋଟେ କ୍ୱାଟରରେ ରହିବାକୁ ଦିଆଯାଇଥିଲା ।
ଯୁବତୀ କହିଛନ୍ତି, “ସେଠାର ସରପଞ୍ଚ ମୋତେ ଦୁର୍ବ୍ୟବହାର କରୁଥିଲେ । ମଦ ପିଇ ଆସୁଥିଲେ , ବହୁତ ଖରାପ କଥା କହୁଥିଲେ । ଆଉ ମୋତେ ଅଲଗା କ୍ୱାଟରକୁ ଡାକୁଥିଲେ । ଦିନେ ୨ଟାରେ ମଦ ପିଇ ଆସିଲେ ସରପଞ୍ଚ , ଇଆଡୁ ସିଆଡୁ କଥା କହି ରହୁଥିବା କ୍ୱାଟରର କବାଟ ବାଡ଼େଇଲେ ।
ମୁଁ ଘରୁ ବାହାରିଲାରୁ ଭିତରକୁ ଚାଲ ତୁମକୁ କଥାଟିଏ ପଚାରିବାର ଅଛି କହିଲେ। ଅଲଗା କବାଟ ଖୋଲି ବାହାରକୁ ପଳାଇ ଆସିଲି । ଗେଟ୍ରେ ପିଅନ ବସିଥିଲା , ତା ନାଁ ମାଧବ। କାହାକୁ କିଛି ନକହିବାକୁ ସେ ମନା କଲା । ପୁଲିସ୍ ଆସିଥିଲେ ତାଙ୍କୁ ସବୁ ଜଣାଇଲି , ସେ କହିଲେ ଆମେ କିଛି କରିପାରିବୁନି। ତୁମେ କ୍ୱାରେଣ୍ଟାଇନ୍ରେ ରୁହ । ଏଠାରେ ବାହାରିଲେ ଯାହା ଅଭିଯୋଗ କରିବ । ଆମେ ବୁଝିବୁ । “
କଥା ଯେତେବେଳେ ଆଗକୁ ବଢ଼ିଲା ଯୁବତୀ ଜଣଙ୍କ ସୋସିଆଲ ମିଡ଼ିଆରେ ନିଜ କଥା କହିବା ସହ ନ୍ୟାୟ ପାଇବାକୁ କହିଛନ୍ତି । ଆଉ ତାଙ୍କୁ ଯଦି ଏଥିରେ ସାହାଯ୍ୟ ନମିଳେ ସେ ଆତ୍ମହତ୍ୟା କରିବେ ବୋଲି ଦୁଃଖର ସହ କହିଛନ୍ତି ।