Odia News Portal

ପଡି ପଡି ଖତ ହେଲାଣି ହଜାର ହଜାର ବସ୍‍

ଭୁବନେଶ୍ୱର : ରାଜ୍ୟରେ ଏବେ ହଜାର ହଜାର ବସ୍‍ ଖତ ହେବାରେ ଲାଗିଛି । ଛିଡା ହୋଇ ହୋଇ କାହାର ଚକା ଫାଟିଲାଣି ତ ଆଉ କାହା ଉପରେ ଗଛ ଲତା ମାଡିଗଲାଣି । ମାସ ମାସ ଧରି ଷ୍ଟାର୍ଟ ହୋଇପାରୁ ନାହିଁ । ମାଲିକମାନେ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ଏହି ଶିଳ୍ପ ସହ ଜଡିତ ପ୍ରାୟ ଅଢେଇ ଲକ୍ଷ ଲୋକ ଏବେ ବେକାର । ଅନେକଙ୍କ ଘରେ ଚୂଲି ଜଳୁନାହିଁ । କିଏ ପରିବା ବିକିଲାଣି ତ ଆଉ କିଏ ଗାଁ ରେ ଅଣ୍ଡା ବେପାର କଲାଣି । ଏଣେ ସାଧାରଣ ଲୋକେ ବି ଯିବା ଆସିବା କରିବାକୁ ହୀନସ୍ତା ହେଉଛନ୍ତି । ରାଜ୍ୟ ସରକାରଙ୍କର ଆୟର ଅନ୍ୟତମ ଉତ୍ସ ପରିବହନ ବ୍ୟବସ୍ଥା କରୋନା ମାଡରେ ଏଭଳି ଜରାଗ୍ରସ୍ତ ହୋଇଥିବାବେଳେ ଏଥିପ୍ରତି କିନ୍ତୁ କାହାର ନଜର ନାହିଁ । ସରକାର ଏହାକୁ ଏକ ପ୍ରକାର ଅଣଦେଖା କରିଦେଇଛନ୍ତି । ଯାତ୍ରୀ ପରିବହନ କିଭଳି ହେବ ଓ ଏହା ଉପରେ ନିର୍ଭରକରି ଚଳୁଥିବା ଲୋକେ କ’ଣ କରିବେ ସେ ସଂକ୍ରାନ୍ତରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଅତି ଅଳ୍ପ ଦିନରେ ରାଜ୍ୟରେ ଥିବା ସଂଖ୍ୟାଧିକ ବସ୍‍କୁ କବାଡି ବାଲା ନେଇଯିବାଟା ଏକ ପ୍ରକାର ଥୟ ହେଲାଣି ।

କରୋନା ମହାମାରୀ ଆରମ୍ଭ ପରେ ଏଭଳି ପ୍ରଚାର ହେଲା ଯେ ବସ୍‍ରେ ଗଲେ ଯେଭଳି କରୋନା ହୋଇଯିବ । ସରକାର ବି ବସ୍‍ ଚଳାଚଳ ଉପରେ କଟକଣା ଲଗାଇଥିଲେ । ଲୋକେ ଅତି ମାତ୍ରାରେ ଡରିଯାଇଥିବାରୁ ବସ୍‍ ଚଳାଇବାପାଇଁ ସରକାର ଅନୁମତି ଦେଲେ ବି ଆଉ ଲୋକେ ବସ୍‍ରେ ଯାଉ ନାହାନ୍ତି । ଯିବା ଆସିବାପାଇଁ ଦୁଇ ଚକିଆ ଯାନର ବ୍ୟବହାର ଯୋଗୁଁ ରାସ୍ତାଘାଟରେ ଏବେ ନାହିଁ ନଥିବା ଭିଡ । ବସ୍‍ ମାଲିକମାନେ ଗାଡି ଚଳାଇବାପାଇଁ ଯେତେ ନେହୁରା ହେଲେ ବି ସରକାର ସେତେବେଳେ ଶୁଣିଲେ ନାହିଁ । ଲୋକଙ୍କ ସୁରକ୍ଷା ଆଗ କହି ଟାଳିଦେଲେ । ଏବେ ଯାତ୍ରୀ ହେଉନଥିବାରୁ ମାଲିକମାନେ ଇଞ୍ଚଟିଏ ବସ୍‍ ଗଡାଉ ନାହାନ୍ତି । କାରଣ ହେଉଛି ଥରୁଟିଏ ଚକା ଗଡିଲେ ମାସଟା ଯାକର ସଡକ ଟିକସ ଦେବାକୁ ପଡିବ । ଗୋଟିଏ ପଟେ ପଇସାଟିଏ ରୋଜଗାର ନଥିବାବେଳେ ମାଲିକାମାନେ ଟିକସ ପଇସା କିଭଳି ଦେବେ ସେହି ଚିନ୍ତାରେ ଅଛନ୍ତି । ରାଜ୍ୟ ସରକାର ବି କିଛି ଗୋଟେ ସ୍ପଷ୍ଟ କରୁନାହାନ୍ତି । ଯେଉଁ ଗାଡି ମାଲିକାମାନେକିସ୍ତାରେ ବସ୍‍ କିଣିଥିଲେ ସେମାନଙ୍କ ଦୁଆର ମୁହଁରେ ଏବେ ବ୍ୟାଙ୍କ୍‍ ବାଲା ପଇଁତରା ମାରୁଛନ୍ତି ।

ହେଲେ ବସ୍‍କୁ ଟାଣି ନେଇ ରଖିବାକୁ ସ୍ଥାନ ନଥିବାରୁ ନେଇପାରୁ ନାହାନ୍ତି । ଏଥିରେ କିନ୍ତୁ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ବସ୍‍ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର । ଏଥି ସହିତ ଯାତ୍ରୀ ପରିବହନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ଆହୁରି ଅନେକ କର୍ମଚାରୀ ବି ୫ମାସ ଧରି ବେକାର । ପଇସାଟିଏର ରୋଜଗାର ନାହିଁ । ପେଟ ପୋଷିବାପାଇଁ ଅନ୍ୟ ପେଷାକୁ ଆପଣେଇବାରେ ଲାଗିଛନ୍ତି । ରାଜ୍ୟରେ କରୋନା ପ୍ରକୋପ ଧିରେ ଧିରେ କମୁଥିବାରୁ ତୁରନ୍ତ ବସ୍‍ ଗୁଡିକ କିଭଳି ଚଳାଚଳ କରିବ ସେ ଦିଗରେ ସରକାର ପଦକ୍ଷେପ ନେବା ସହିତ ବସ୍‍ କର୍ମଚାରୀଙ୍କୁ ସହାୟତା ପ୍ରଦାନ ଲାଗି ଦାବି ହେଉଛି । ହେଲେ ସରକାର ଯେଭଳି ଏ କ୍ଷେତ୍ରରେ ନିଦାବିଷ୍ଣୁ ସାଜିଛନ୍ତି ତାହା ଆଗାମୀ ଦିନ ପାଇଁ ବିପଦ ସୃଷ୍ଟି କରିବ । କାରଣ ଥରେ ବସ୍‍ ଗୁଡିକ ଅଚଳ ହୋଇଗଲେ କର୍ତ୍ତୃପକ୍ଷ ଚାହିଁଲେ ବି ରାସ୍ତାଘାଟରେ ଆଉ ବସ୍‍ ଗଡିପାରିବ ନାହିଁ । ସେତେବେଳେ ସାଧାରଣ ଜନତାଙ୍କ ରୋଷର ଶିକାର ହେବାଟା ଥୟ ବୋଲି କିଛି ଗାଡି ମାଲିକ ମତ ଦେଉଛନ୍ତି