Odia News Portal

ଭାରତ ଉପରେ ଭାରି ପଡ଼ିଲେ ବଟଲର

ବିଜୟ ସହ ଇଂଲଣ୍ଡ ୨-୧ରେ ଅଗ୍ରଣୀ

ଅହମଦାବାଦ: ଅଧିନାୟକ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ସତ୍ତ୍ୱେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ଟି-୨୦ରେ ଇଂଲଣ୍ଡ ଠାରୁ ପୁଣିଥରେ ପରାସ୍ତ ହୋଇଛି ଭାରତ। ଜୋସ ବଟଲରଙ୍କ ଅପରାଜିତ ୮୩ ରନ୍‌ ବଳରେ ଇଂଲିଶ ଟିମ୍‌ ଭାରତକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭ୍ରମଣକାରୀ ଦଳ ୨-୧ରେ ଆଗକୁ ହୋଇଯାଇଛି।
ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ମାତ୍ର ୧୫୬ ରନ୍‌ କରିଥିଲା। ଏହାର ଜବାବରେ ଟିମ୍‌ ଇଂଲଣ୍ଡ ୧୦ ବଲ୍‌ ପୂର୍ବରୁ ୨ ୱିକେଟ ହରାଇ ବିଜୟ ହାସଲ କରିନେଇଛି। ପ୍ରଥମ ଟି-୨୦ରେ ମଧ୍ୟ ଇଂଲଣ୍ଡ ୮ ୱିକେଟରେ ଭାରତକୁ ପରାସ୍ତ କରିଥିଲା। ଭାରତ ଦ୍ୱିତୀୟ ଟି-୨୦ରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରି ସିରିଜ୍‌ ବରାବର କରିଥିଲା। ଏବେ ସିରିଜ୍‌ର ୪ର୍ଥ ମ୍ୟାଚ୍‌ ୧୮ ତାରିଖରେ ଖେଳାଯିବ।

ଭାରତ ଦେଇଥିବା ୧୫୭ ରନ୍‌ ଟାର୍ଗେଟର ପିଛା କରୁଥିବା ଇଂଲିଶ ଟିମ୍‌ ୨୩ ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା। ଇନଫର୍ମ ଜେସନ ରୟ ମାତ୍ର ୯ ରନ୍‌ କରି ୟୁଜଭେନ୍ଦର ଚହଲଙ୍କ ବଲ୍‌ରେ ଆଉଟ ହୋଇଥିଲେ। ତେବେ ଦ୍ୱିତୀୟ ୱିକେଟ ପାଇଁ ବଟଲରଙ୍କ ସହ ମିଶି ଡେୱିଡ୍ ମଲାନ ଦମଦାର ବ୍ୟାଟିଂ କରିଥିଲେ।

ବିଶେଷ କରି ବଟଲର ଭାରତୀୟ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୮୧ ଥିବା ବେଳେ ମଲାନ(୧୮) ବଡ଼ ଶଟ୍‌ ଖେଳିବା ଲୋଭରେ ୱାଶିଂଟନ ସୁନ୍ଦରଙ୍କ ବଲରେ ଷ୍ଟମ୍ପିଂ ହୋଇଯାଇଥିଲେ। ମଲାନ ଆଉଟ ହୋଇଥିଲେ ହେଁ ଏହାର ପ୍ରଭାବ ବଟଲରଙ୍କ ଉପରେ ପଡ଼ି ନଥିଲା।

ସେ କ୍ରମାଗତ ଭାବେ ଭାରତୀୟ ବୋଲରଙ୍କୁ ବଡ଼ବଡ଼ ଶଟ୍‌ ମାରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ଜନ୍ନି ବେୟାରଷ୍ଟୋ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ୩ ୱିକେଟ ପାଇଁ ଅପରାଜିତ ୭୭ ରନ୍‌ର ଭାଗିଦାରୀ କରିଥିଲେ। ବେୟାରଷ୍ଟୋ ମଧ୍ୟ ନିଜ ଟି-୨୦ କ୍ୟାରିୟର୍‌ରେ ୧ ହଜାର ରନ୍‌ ପୂରଣ କରିଥିଲେ। ସେ ୨୩ ରନ୍‌ କରିବା କ୍ଷଣି ୧୦୦୦ ରନ୍‌ କ୍ଲବରେ ନିଜକୁ ସାମିଲ କରିଥିଲେ।

ଭାରତୀୟ ବୋଲର ବଟଲର ଓ ବେୟାରଷ୍ଟୋଙ୍କୁ ଆଉଟ କରିବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ନଥିଲେ। ଶେଷ ୧୨ ବଲ୍‌ରେ ୭ ରନ୍‌ ଦରକାର ଥିବା ବେଳେ ବେୟାରଷ୍ଟୋ ଲଗାତର ୨ଟି ଚୌକା ମାରି ଦଳକୁ ବିଜୟ କରାଇଥିଲେ। ବଟଲର ଶେଷ ଯାଏ ୨୮ ବଲରେ ୪୦ ଓ ବଟଲର ୫୨ ବଲରେ ୮୩ ରନ୍‌ କରି ଅପରାଜିତ ରହିଥିଲେ। ବଟଲରଙ୍କ ତାଙ୍କ ଇନିଂସରେ ୫ଟି ଚୌକା ଓ ୪ଟି ଛକା ମାରିଛନ୍ତି। ସେହିପରି ଦ୍ରୁତ ୪୦ ରନ୍‌ର ଇନିଂସ୍‌ରେ ବେୟାରଷ୍ଟୋ ୫ଟି ଚୌକା ମାରିଥିଲେ।

ଏହା ପୂର୍ବରୁ ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ନିଜର ୧୦୦ତମ ମ୍ୟାଚ୍ ଖେଳୁଥିବା ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ପୁଣିଥରେ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର ଲୋକେଶ ରାହୁଲ କ୍ରମାଗତ ତୃତୀୟ ମ୍ୟାଚରେ ଫେଲ୍ ମାରିଥିଲେ। ସେ ଖାତା ଖୋଲିବା ପୂର୍ବରୁ ମାର୍କ ଉଡଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇ ଯାଇଥିଲେ। କମବ୍ୟାକ୍ କରିଥିବା ରୋହିତ୍ ଶର୍ମା ୧୫ ରନ୍ କରିବାକୁ ସକ୍ଷମ ହୋଇଥିଲେ।

ଡେବ୍ୟୁ ମ୍ୟାଚରେ ମ୍ୟାନ୍ ଅଫ୍ ମ୍ୟାଚ୍ ହୋଇଥିବା ଈଶାନ୍ କିଶନ (୪) ନିରାଶ କରିଥିଲେ। କ୍ରିସ୍ ଜୋର୍ଡାନଙ୍କ ବାଉନ୍ସରକୁ ଛକା ମାରିବା ପ୍ରୟାସରେ ଈଶାନ୍ ୱିକେଟକିପର ଜୋଶ୍ ବଟଲରଙ୍କ ଦ୍ୱାରା ଧରା ପଡ଼ିଥିଲେ। ଋଷଭ ପନ୍ତ ପୁଣିଥରେ ଭଲ ଆରମ୍ଭ କରିଥିଲେ, କିନ୍ତୁ ବିରାଟ୍ କୋହଲିଙ୍କ ସହ ଭୁଲ୍ ବୁଝାମଣା କାରଣରୁ ସେ ରନଆଉଟ୍ ହୋଇଥିଲେ। ପନ୍ତ ୨୦ ବଲରେ ୩ ଚୌକା ସହ ୨୫ ରନ୍ କରିଥିଲେ। ଶ୍ରେୟସ ଆୟର୍ ମଧ୍ୟ ସୁଯୋଗର ଫାଇଦା ଉଠାଇପାରିନଥିଲେ। ସେ ୯ ରନ୍ କରି ମାର୍କ ଉଡଙ୍କ ବଲରେ ଡେୱିଡ୍ ମଲାନଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ଭାରତର ସ୍କୋର ୫ ୱିକେଟରେ ୮୬ ରନରେ ଥିବା ବେଳେ କୋହଲିଙ୍କୁ ସାଥ୍ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଦୁହେଁ ଷଷ୍ଠ ୱିକେଟ୍‌ ପାଇଁ ୭୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରି ଭାରତକୁ ୧୫୬ ରନର ସମ୍ମାନଜନକ ସ୍କୋରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ୧୫ ବଲ୍ ଖେଳି ୨ ଚୌକା ସହ ୧୭ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ସର୍ବାଧିକ ୩ଟି ଓ ଜୋର୍ଡାନ୍ ୨ଟି ୱିକେଟ୍‌ ନେଇଥିଲେ।