ଭୁବନେଶ୍ୱର- ମେ ୪ରୁ ସିବିଏସ୍ଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଘୋଷଣା କରିଛନ୍ତି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା ୨୦୨୧ ମେ’ ୪ରୁ ଆରମ୍ଭ ହେବ। ମାସାଧିକ କାଳ ଚାଲିବାକୁ ଥିବା ଏହି ପରୀକ୍ଷା ଜୁନ୍ ୧୦ରେ ସରିବ। ତେବେ ଥିଓରି ପୂର୍ବରୁ ଉକ୍ତ ଦୁଇ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ପହିଲାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ/ପ୍ରୋଜେକ୍ଟ/ଇଣ୍ଟରନାଲ୍ ଆସେସ୍ମେଣ୍ଟ ପରୀକ୍ଷା କରାଯିବ। ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।
କୋଭିଡ୍-୧୯ ଯୋଗୁଁ ଏଥର ପରୀକ୍ଷା ସାମାନ୍ୟ ବିଳମ୍ବ ହୋଇଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା ପରେ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ମେ’ ୪ରୁ ଆରମ୍ଭ ହେବାକୁ ଥିବା ଥିଓରି ପରୀକ୍ଷା ପାଇଁ ଖୁବ୍ଶୀଘ୍ର ସମୟ ସାରଣୀ ଜାରି କରାଯିବ। ୨୫/୨୬ଟି ଦେଶରେ ସିବିଏସ୍ଇ ବୋର୍ଡ ଦ୍ବାରା ପରିଚାଳିତ ସ୍କୁଲ ରହିଛନ୍ତି। ସେଠାରେ କିଭଳି ସୁରୁଖୁରୁରେ ପରୀକ୍ଷା ହେବ, ସେନେଇ ବି ବଚାର ଆଲୋଚନା କରାଯାଉଛି।