ଭୁବନେଶ୍ବର () ତିତଲି ବାତ୍ୟା ଓ ପରବର୍ତ୍ତି ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି କେନ୍ଦ୍ରୀୟ ଟିମ । 1991 ଆଇପିଏସ ଅଫିସର ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ବରେ ଏହି ଟିମ ଗଠନ ହୋଇଛି । ବଶିଷ୍ଟ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଖୁବଶୀଘ୍ର ଏହି ଟିମ ଓଡିଶାର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳକୁ ଗସ୍ତ କରି କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବ ।
ତିତଲି ଓ ପରବର୍ତ୍ତି ବନ୍ୟା ପରିସ୍ଥିତିରେ ରାଜ୍ୟର 17ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ 77 ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ପ୍ରାୟ 2770 କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ସରକାର ଆକଳନ କରିଛନ୍ତି । ସେହି ଆଧାରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରଠାରୁ ଅନ୍ତରିଣ ସହାୟତା ବାବଦରେ ହଜାରେ କୋଟି ଟଙ୍କା ମାଗିଛନ୍ତି । ଏଥିସହିତ ପ୍ରାୟ 57ହଜାର ଘର ଭାଙ୍ଗିଥିବାରୁ ପ୍ରଭାବିତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ବତନ୍ତ୍ର ଭାବେ ବାସଗୃହ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ।