Odia News Portal

ନବରାତ୍ରିର ଷଷ୍ଠ ଦିନରେ କରନ୍ତୁ ମା’ କାତ୍ୟାୟନୀଙ୍କୁ ପୂଜା

*ଦେବୀଙ୍କର ଏହି ସ୍ଵରୂପକୁ କନ୍ୟାମାନେ ପୂଜା କଲେ ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ।
*ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ।

ଭୁବନେଶ୍ୱର: ଚୈତ୍ର ନବରାତ୍ରିରେ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଇଥାଏ। ମା’ ଦୁର୍ଗା ଶକ୍ତିର ପ୍ରତୀକ। ବିଧି ବିଧାନ ସହ ନବରାତ୍ରିରେ ମା’ଙ୍କୁ ଆରାଧନା କଲେ ମନୋସ୍କାମନା ପୂରଣ ହୁଏ ବୋଲି କୁହାଯାଇ ଥାଏ | ଆଜି ହେଉଛି ନବରାତ୍ରୀର ଷଷ୍ଠ ଦିନ। ଶାସ୍ତ୍ର ଅନୁସାରେ ଏହି ଦିନ ଆଦି ଶକ୍ତି ମା’ ଦୁର୍ଗାଙ୍କୁ କାତ୍ୟାୟନୀ ରୂପରେ ପୂଜା କରାଯାଏ। ମାତା କାତ୍ୟାୟନୀ ଚତୁର୍ଭୁଜା ହୋଇଥିବାବେଳେ, ୨ଟି ହାତରେ କମଳ ଓ ଖଣ୍ଡା ଧରି ବସିଛନ୍ତି, ଆଉ ଅନ୍ୟ ୨ଟି ହାତ ଜଗତର ମଙ୍ଗଳ ପାଇଁ ଆଶୀର୍ବାଦ ଦେଉଛନ୍ତି । ମାଆଙ୍କର ବାହାନ ହେଉଛି ସିଂହ।

ଦେବୀଙ୍କର ଏହି ସ୍ଵରୂପକୁ କନ୍ୟାମାନେ ପୂଜା କଲେ ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ। ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ। ମାତାଙ୍କ ଅଲୌକିକ ତେଜ ଏବଂ ପ୍ରତାପରେ ରୋଗ, ଶୋକ, ସଂତାପ, ଭୟ ବିନାଶ ହୋଇଥାଏ। ମାତା କାତ୍ୟାୟନୀ ମହିଷାସୁରକୁ ବଦ୍ଧ କରିଥିଲେ । ସେଥିପାଇଁ ତାଙ୍କୁ ପାପୀ, ଅସୁର, ଦାନବଙ୍କୁ ନାଶ କରୁଥିବା ଦେବୀ ବୋଲି କୁହାଯାଏ। କୁହାଯାଏ ମା’ କାତ୍ୟାୟନୀଙ୍କୁ ପୂଜା କଲେ ବ୍ୟକ୍ତିକୁ ତାର ସମସ୍ତ ଇନ୍ଦ୍ରୀୟ ବଶ କରିବାର ଶକ୍ତି ପ୍ରାପ୍ତ ହୋଇଥାଏ ।

ମା’ କାତ୍ୟାୟନୀ ତାଙ୍କ ଭକ୍ତଙ୍କ ପ୍ରତି ସର୍ବଦା ଉଦାର ଭାବ ରଖିଥାନ୍ତି। ତେବେ ମାତାଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଥିଲେ ଋଷି କାତ୍ୟାୟନ। ଯେତବେଳେ ଅସୁର ମହିଷାସୁରର ଅତ୍ୟାଚାର ଦେବତା ଓ ଋଷି ମାନଙ୍କ ଉପରେ ବଢିଗଲା ତାର ବିନାଶ ପାଇଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ଜଣେ ଦେବୀଙ୍କୁ ଉତ୍ପନ୍ନ କରିଥିଲେ । ଆଉ ଋଷି କାତ୍ୟାୟନଙ୍କର ତପସ୍ୟାରେ ମାତା ପ୍ରସନ୍ନ ହୋଇ କାତ୍ୟାୟନଙ୍କ ଆଶ୍ରମରେ ଜନ୍ମଲାଭ କରିଥିବାରୁ ତାଙ୍କ ନାମ କାତ୍ୟାୟନୀ । କଥାରେ ଅଛି ଭଗବାନ ଶ୍ରୀରାମ ଏବଂ ଶ୍ରୀକୃଷ୍ଣ ମାତା କାତ୍ୟାୟନୀଙ୍କୁ ପୂଜା କରିଥିଲେ। ମା’ କାତ୍ୟାୟନୀ ମହିସାଷୁରକୁ ବଦ୍ଧ କରି ଜଗତକୁ ଅଭୟ ପ୍ରଦାନ କରିଥିଲେ।