Odia News Portal

ଶିଖର ଧାୱନଙ୍କ ୭୫ ଓ ବିରାଟ କୋହଲିଙ୍କ ୪୫ ରନ୍‌ ବଳରେ ଭାରତର ଦମଦାର ବିଜୟ

ନାପିଏର: ନାପିଏରରେ ପୁଣି କମାଲ ଦେଖାଇଲେ ଭାରତୀୟ ବୋଲର। କୁଳଦୀପ ଯାଦବ ଓ ମହମ୍ମଦ ସାମିଙ୍କ ଘାତକ ବୋଲିଂ ପାଇଁ ନିଜ ମାଟିରେ ଧୂଳି ଚାଟିଲା ନ୍ୟୁଜିଲାଣ୍ଡ। ଅଷ୍ଟ୍ରେଲିଆରେ ଐତିହାସିକ ସିରିଜ୍‌ ବିଜୟ ହାସଲ ପରେ ବୁଧବାର ବିଜୟ ସହ ଭାରତ ତାର ନ୍ୟୁଜିଲାଣ୍ଡ ଅଭିଯାନ ଆରମ୍ଭ କରିଛି। ଆଜି ନାପିଏରଠାରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକଆ ମ୍ୟାଚ୍‌ରେ ଭାରତ ଦମଦାର ବିଜୟ ହାସଲ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ଗସ୍ତ ପରେ ଚଳିତ ସିରିଜ୍‌ରେ ନ୍ୟୁଜିଲାଣ୍ଡ ମାଟିରେ ବି ବିଜୟଧାରା ବଜାୟ ରଖିଛି ବିରାଟ ବାହିନୀ। ଫଳରେ ଚଳିତ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତ ଏବେ ୧-୦ରେ ଆଗୁଆ ରହିଛି। ଆଜିର ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ମଧ୍ୟ ଦମଦାର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ଶିଖର ଧାୱନଙ୍କ ଚିତ୍ତାକର୍ଷକ ୭୫ ରନ୍‌ ଓ ବିରାଟ କୋହଲିଙ୍କ ୪୫ ରନ୍‌ ବଳରେ ୩୪.୫ ଓଭରରେ ୨ ୱିକେଟ୍ ହରାଇ ବିଜୟ ଲାଭ କରିଛି ଭାରତ।
ଟସ୍ ଜିତି ପ୍ରଥମେ ବ୍ୟାଟିଂର ନି‌ଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ୩୮ ଓଭର୍‌ରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୫୭ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ କେନ୍ ୱିଲିୟମସନ୍ ସର୍ବାଧିକ ୬୪ ରନ୍ କରିଥିଲା ବେଳେ ରସ୍ ଟେଲର ୨୪ ରନ୍ ଓ ମିଚେଲ ସାଣ୍ଟନର ୧୪ ରନ୍ କରିଥିଲେ। ଫଳରେ ୧୫୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ। ତେବେ ଶିଖର ଧାୱନଙ୍କ ଆକର୍ଷଣୀୟ ୭୫ ରନ୍‌ ଓ ବିରାଟ କୋହଲିଙ୍କ ୪୫ ରନ୍‌ ପାଳି ବଳରେ ଭାରତ ବିଜୟ ଲାଭ କରିଥିଲା। ଅନ୍ୟପକ୍ଷରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ସମ୍ମୁଖୀନ ନହୋଇପାରି ଘରୋଇ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ଧରାଶାୟୀ ହୋଇପଡ଼ିଥିଳେ। ଫଳରେ ଦଳ ମାତ୍ର ୧୫୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଆଜି ଭାରତୀୟ ବୋଲର ଆକ୍ରମଣାତ୍ମକ ବୋଲିଂ କରିବା ସହ ଘରୋଇ ଦଳକୁ ବଡ଼ ସ୍କୋର କରିବାକୁ କୌଣସି ସୁଯୋଗ ଦେଇନଥିଲେ। ଦଳ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲା ବେଳେ ମହମ୍ମଦ ସାମି ୩ଟି ୱିକେଟ୍ ନେଇଥିଲେ। ସେହିପରି ୟୁଜବେନ୍ଦ୍ର ଚହଲ ୨ଟି ଓ କେଦାର ଯାଦବ ଗୋଟିଏ ସଫଳତା ପାଇଥିଲେ।