Odia News Portal

ରାଜ୍ୟ ସରକାର ବିକିବେ ପିଆଜ

ଭୁବନେଶ୍ୱର() ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ଅସାଧୁ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଗ୍ରାହକଙ୍କ ସୁବିଧା ପାଇଁ ସରକାରୀ ସୁଲଭ ଦୋକାନ ଓ ମୈତ୍ରୀ ଆଉଟଲେଟରେ ପିଆଜ ଉପଲବ୍ଧ କରାଇବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଜ୍ୟୋତି କୁମାର ଲାକ୍ରା ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ପିଆଜ ଦର ଏବେ ରାଜ୍ୟ ବିଭିନ୍ନ ଭାଗରେ କ୍ୱିଣ୍ଟାଲ ପିଛା ୫୨୦୦ରୁ ୭୦୦୦ଟଙ୍କା ରହିଛି। ବ୍ୟବସାୟୀଙ୍କ ସହ ଆଲୋଚନା ପରେ ଜଣାପଡ଼ିଛି ଯେ, ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରବଳ ବର୍ଷା ଯୋଗୁ ଖରିଫ ଫସଲ ବ୍ୟାପକ କ୍ଷତି ହୋଇଛି। ତା’ଛଡ଼ା ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତୀୟ ରାଜ୍ୟରେ ଆଗୁଆ ଆସୁଥିବା ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି ତଥା ପିଆଜ ବଜାରକୁ ମଧ୍ୟ କମ ଆସୁଛି।

ତେଣୁ ସ୍ଥିତି ସ୍ୱାଭାବିକ ହେବା ପର୍ୟ୍ୟନ୍ତ ସ୍ଥାନୀୟ ବଜାରରୁ ପିଆଜ କ୍ରୟ କରି ରାଜ୍ୟର ସରକାରୀ ସୁଲଭ ଦୋକାନ ଓ ମୈତ୍ରୀ ଆଉଟଲେଟଗୁଡ଼ିକରେ ଗ୍ରାହକଙ୍କ ସୁବିଧା ପାଇଁ ବିନା ଲାଭ-କ୍ଷତିରେ ବିକ୍ରି କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।