ଭୁବନେଶ୍ୱର : କରୋନା ଲହରକୁ ରୋକିବାପାଇଁ ପ୍ରଶାସନ ଏବେ ଶିକ୍ଷାନୁଷ୍ଠାନ ଉପରେ କଡା ନଜର ପକାଇଥିବାବେଳେ କୋଚିଂ ସେଣ୍ଟରରେ ହଜାର ହଜାର ଟଙ୍କା ଜମା କରିଥିବା ଛାତ୍ରଛାତ୍ରୀମାନେ ଏବେ ଚିନ୍ତାରେ ପଡିଗଲେଣି । କାରଣ ପୁଲିସ୍ ଓ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଭୟରେ ଏବେ ଅଧିକାଂଶ କୋଚିଂ ସେଣ୍ଟର ମାଲିକ ଭୟରେ ସେମାନଙ୍କ କେନ୍ଦ୍ର ବନ୍ଦ କରିବା ଆରମ୍ଭ କରିଛନ୍ତି । ଯେଉଁମାନେ ବି ଲୁଚାଛପାରେ ଚଳାଇଛନ୍ତି ସେଠାରେ ପାଠପଢା ପ୍ରଭାବିତ ହେବାରେ ଲାଗିଛି ।
ରାଜଧାନୀର କୋଚିଂ ସେଣ୍ଟର ଉପରେ ସାଧାରଣତଃ ଯୁକ୍ତ ଦୁଇ ବିଜ୍ଞାନର ଅଧିକାଂଶ ଛାତ୍ରଛାତ୍ରୀ ନିର୍ଭରଶୀଳ । ନିଜର ପାଠ୍ୟ ବିଷୟ ସହିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାପାଇଁ ସେମାନେ କୋଚିଂ ନେଇଥାନ୍ତି । ଗତବର୍ଷ ବିଳମ୍ବରେ ହେଲେ ବି ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରଛାତ୍ରୀମାନେ ବିଭିନ୍ନ କୋଚିଂସେଣ୍ଟରରେ ନାମ ଲେଖାଇଛନ୍ତି । ବର୍ଷକୁ ହାରାହାରି ଭାବେ ୪୦ହଜାର ଟଙ୍କା ଗଣୁଥିବା ଏହି ଛାତ୍ରଛାତ୍ରୀମାନଙ୍କ କୋର୍ସ ସରିନାର୍ହି । କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ପାଠପଢା ଉପରେ ଜୋର ଦେଉଥିବାବେଳେ କରୋନା କଟକଣା ସେମାନଙ୍କ ଲାଗି କାଳ ସାଜିଛି ।
ଅନ୍ୟ ପକ୍ଷରେ ଏହି ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷରେ ମାସେ ହେବ କଲେଜ ମାଟି ମାଡିବାପରେ ଏବେ ଛୁଟି ଘୋଷଣା ହୋଇଛି । କେବେ ଖୋଲିବ ତାହାର କୌଣସି ଠିକଣା ନାହିଁ । କଲେଜରେ ପାଠପଢା ଆରମ୍ଭ ହେଉ ହେଉ କରୋନା କାଳ ସାଜିଛି । ଅଧିକାଂଶ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷାଗାର ମାଟି ମାଡି ନାହାନ୍ତି । ସେମାନଙ୍କର ଏକମାତ୍ର ଭରସା ହେଉଛି କୋଚିଂ ସେଣ୍ଟର । ତେଣୁ ସେମାନେ ଏବେ କ’ଣ କରିବେ ସେହି ଚିନ୍ତାରେ ପଡିଛନ୍ତି । ଗୋଟିଏ ପଟେ କଲେଜ ଯିବା ବନ୍ଦ ହୋଇଥିବାବେଳେ ଅନ୍ୟ ପଟେ କୋଚିଂ ସେଣ୍ଟରରେ ବି ତାଲା ପଡିଲାଣି ।
ତେବେ ସହରର ଅଧିକାଂଶ କୋଚିଂ ସେଣ୍ଟର କରୋନା କଟକଣା ନିୟମ ମାନି ପିଲାମାନଙ୍କୁ ସାମାଜିକ ଦୂରତା ନିୟମ ପାଳନ କରୁଥିବାବେଳେ ଛାତ୍ରଛାତ୍ରୀମାନେ ବି ମାସ୍କ ଓ ସାନିଟାଇଜର ବ୍ୟବହାର କରୁଛନ୍ତି । ତେବେ ଏଭଳି ସ୍ଥିତିରେ ପିଲାଙ୍କ ଭବିଷ୍ୟତ ଓ ପାଠପଢା ଉପରେ ଗୁରୁତ୍ୱ ନଦେଇ ବିଏମ୍ସି ଠାରୁ ଆରମ୍ଭକରି ପୁଲିସ୍ ପର୍ଯ୍ୟନ୍ତ ଯେଭଳି କୋଚିଂ ସେଣ୍ଟର ଉପରେ ଜୁଲମ କରିବାରେ ଲାଗିଛନ୍ତି ତାହାକୁ ନେଇ ସାରା ରାଜ୍ୟରେ ଏବେ ଛାତ୍ର ଅଶାନ୍ତି ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଅଭିଭାବକମାନେ ମୁଣ୍ଡରେ ହାତଦେଇ ବସିଗଲେଣି ।
ଗୋଟିଏ ପଟେ ପିଲାଙ୍କ ଭବିଷ୍ୟତ ପାଇଁ କରୋନା କାଳରେ ଧାର ଉଧାର କରି ଟଙ୍କା ଦେଇଥିବାବେଳେ ଏବେ ପିଲାଙ୍କ ପାଠପଢା ବ୍ୟାହତ ହେବାରେ ଲାଗିଛି । ତେବେ ସରକାରୀକଳ ଯେଉଁସବୁ କୋଚିଂ ସେଣ୍ଟରରେ ତାଲା ପକାଉଛନ୍ତି ସେଠାରେ ଟଙ୍କା ଦେଇଥିବା ପିଲାମାନେ ଯେଭଳି ପାଠ ପଢିବେ ତାହାର ବ୍ୟବସ୍ଥା କରିବାକୁ ଦାବି ହେଉଛି ।