ଭୁବନେଶ୍ୱର : ନିଜ ବେପାର ପାଇଁ କେତେକ କୋଚିଂ ସେଣ୍ଟର ଏବେ ପିଲାଙ୍କ ଜୀବନ ସହିତ ଖେଳିବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ଓ ବିଏମ୍ସିର ଶତ ବାରଣ ସତ୍ୱେ ଲୁଚା ଛପାରେ କୋଚିଂ ସେଣ୍ଟର ଚଳାଇଛନ୍ତି । ଅନ୍ଲାଇନ୍ ପାଠପଢା ପାଇଁ ଅଳ୍ପ ଫି ନେବାକୁ ହେଉଥିବାରୁ ସେମାନେ କବାଟ କିଳି ପିଲାଙ୍କୁ ପଢାଉଥିବାର ସୂଚନା ମିଳୁଛି ।ଏହିଭଳି କେତେକ କୋଚିଂ ସେଣ୍ଟର ଫରେଷ୍ଟପାର୍କ, ଓୟୁଏଟି, ୟୁନିଟ୍-୮ ଆଦିରେ ଚାଲୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟସରକାର ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ସିଧାସଳଖ ଉତ୍ତୀର୍ଣ୍ଣ ଘୋଷଣା କରିଥିବାବେଳେ ଏହିସବୁ ପିଲାଙ୍କୁ କିଭଳି ନିଜ ନିଜ କୋଚିଂ ସେଣ୍ଟରକୁ ଅଣାଯାଇ ପାରିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ସେଥିପାଇଁ ପିଲାଙ୍କୁ ଫୋନ୍ କରି ଅଫ୍ଲାଇନ୍ରେ ପଢିବାପାଇଁ ପ୍ରବର୍ତ୍ତାଇବା ସହିତ ଲୁଚା ଛପାରେ ପାଠପଢା ଜାରି ରଖିଛନ୍ତି ।
ଏମାନଙ୍କ ସହିତ ବିଏମ୍ସିର କିଛି ଅଧିକାରୀ ଚୋରା ଲୋଚାରେ ସମ୍ପର୍କ ରଖି ବଳ ଯୋଗାଉଥିବା ଚର୍ଚ୍ଚା ହେଉଛି ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଚିଂ ସେଣ୍ଟରଗୁଡିକୁ ବନ୍ଦ ପାଇଁ ବିଏମ୍ସି ସ୍ପଷ୍ଟ କରିବା ସହିତ କେବଳ ଅନ୍ଲାଇନ୍ରେ ପଢାଇବାପାଇଁ ନିଦେ୍ର୍ଦଶଜାରି କରିଛି । ଏ ନେଇ ଚାରିଆଡେ ଚଢାଉ ଚାଲିଥିବାବେଳେ କିଛି କୋଚିଂସେଣ୍ଟର କିଭଳି ପିଲାଙ୍କୁ ଡାକି ପଢାଉଛନ୍ତି ଓ ବିଏମ୍ସି ଅଧିକାରୀମାନେ ଜାରିପାରୁ ନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଲୁଚାଚୋରା ପାଠପଢାର ଅନ୍ୟତମ କାରଣ ହେଲା ଅଫ୍ଲାଇନ୍ରେ ପିଲାଙ୍କୁ ପଢାଇଲେ ଅଳ୍ପ ପଇସା ନେବାକୁ ହେବ । ଅନେକ ପିଲା ବି ସାଧନ ଅଭାବରୁ ଅନ୍ଲାଇନ୍ ପଢିବାକୁ ରାଜି ହେଉ ନାହାନ୍ତି । ଅନ୍ୟ ପକ୍ଷରେ ସରକାରୀ କଲେଜଗୁଡିକ ଅନ୍ଲାଇନ୍ ପାଠପଢା ପାଇଁ ସଜବାଜ ହେଉଛନ୍ତି ।ତେଣୁ ଏଭଳି ସ୍ଥିତିରେ ପିଲାଏ କାଳେ ଅନ୍ଲାଇନ୍ କଥା ଶୁଣି ନଆସିବେ ସେଥିପାଇଁ ଲୁଚା ଚୋରାରେ କବାଟକିଳା ପାଠପଢା ଚାଲିଛି । ପିଲାଙ୍କୁ ଆଣି ନିଜର ବେପାର ବଢାଇବାପାଇଁ ସେମାନଙ୍କୁ ଏକ ପ୍ରକାର ମରଣମୁହଁକୁ ଏହି କୋଚିଂ ସେଣ୍ଟରମାନେ ଠେଲି ଦେଉଛନ୍ତି ।

ତୁରନ୍ତ ଏହାକୁ ବନ୍ଦ କରାନଗଲେ ଏମାନେ ଗୋଟିଏ ଗୋଟିଏ ସୁପରସ୍ପ୍ରେଡର ପାଲଟିବେବୋଲି ମତପ୍ରକାଶ ପାଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବିଏମ୍ସି ଏମାନଙ୍କୁ ଠାବକରି ନପାରିବା ଓ କୋଚିଂ ସେଣ୍ଟର ମାଲିକମାନେ ପ୍ରଶାସନକୁ ଖାତିର ନକରିବା । ଏହି ମାଲିକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅନ୍ୟମାନେ ଧିରେ ଧିରେ ଏମାନଙ୍କୁ ଅନୁକରଣ କରିବେ ବୋଲି କୁହାଯାଉଛି ।