Odia News Portal

ରାଜଧାନୀରେ ଆସ୍ଥାନ ଜମାଇଥିବା ପୁଲିସ୍‍ବାବୁ ଛାନିଆ

ଭୁବନେଶ୍ୱର : ରାଜ୍ୟର ନୂତନ ପୁଲିସ୍‍ ମୁଖ୍ୟ ଭାବେ ୧୯୮୬ ବ୍ୟାଚ୍‍ର ବରିଷ୍ଠ ଆଇପିଏସ୍‍ ଅଫିସର ବିଜୟ କୁମାର ଶର୍ମା ଦାୟିତ୍ୱ ନେବାପରେ ଏବେ ରାଜଧାନୀର କିଛି ପୁଲିସ୍‍ ଅଫିସରଙ୍କ ଭିତରେ ଛନକା ପଶିଛି । ବିଶେଷକରି ଦୀର୍ଘଦିନରୁ ରାଜଧାନୀ ଓ ଆଖପାଖ ଅଞ୍ଚଳ ଛାଡି ବାହାରକୁ ଯାଉନଥିବା ଓ ବାହାରକୁ ଗଲେ ରାଜଧାନୀରେ ପତିଆରା ଜାହିର କରୁଥିବା ଅଫିସରମାନେ ଛାନିଆ ହେବାରେ ଲାଗିଛନ୍ତି ।

ଶ୍ରୀ ଶର୍ମା ଦାୟିତ୍ୱ ନେବାପରେ ତାଙ୍କର ଫୋକସ ଏବେ କମିଶନରେଟ ପୁଲିସ ଉପରେ ରହିବ । କାରଣ ରାଜଧାନୀ ଓ କଟକରେ ଯେଭଳି ଛୋଟ ବଡ ଅପରାଧ ମାନ ଘଟୁଛି ତାହାଦ୍ୱାରା ରାଜ୍ୟ ପୁଲିସ୍‍ ଢେର ବଦନାମ ହେଲାଣି । ଦୁଇ ସହରରେ ନିଶା କାରବାର ଯୋଗୁଁ ଅବସ୍ଥା ପୂରା ବିଗିଡିବାରେ ଲାଗିଛି । ସଂଧ୍ୟା କିମ୍ବା ରାତି ତ ଦୂରରକଥା ଦିନବେଳା ବି ଲୋକେ ଛିନ୍‍ତାଇ ଓ ଡକାୟତିର ଶିକାର ହେଉଛନ୍ତି । ଏତେ ସବୁ ପରେ କିଛି ପୁଲିସ୍‍ ଅଫିସର ରାଜଧାନୀରେ ଗାଦିମାଡି ବସିଛନ୍ତି । ବଦଳି ହେଲେ ଅତି ବେଶିରେ କଟକ କିମ୍ବା ଖୋରଧା ଯାଇ ଫେରି ଆସୁଛନ୍ତି ।

ଶ୍ରୀ ଶର୍ମା ପୂର୍ବରୁ ଭୁବନେଶ୍ୱର ଏସ୍‍ପି ସହିତ ପୁଲିସ୍‍ କମିଶନର ଭାବେ ଏଠାରେ ଦୀର୍ଘଦିନ କାର୍ଯ୍ୟ କରିଛନ୍ତି । ତେଣୁ ଦୁଇ ସହରର ପାଣିପାଗ ସହିତ ସେ ବେଶ୍‍ ପରିଚିତ । ପ୍ରାୟ ସବୁ ଥାନା ଇଲାକା ତାଙ୍କ ନଖ ଦର୍ପଣରେ । ସେହିଭଳି ପୁଲିସ୍‍ ବାବୁମାନଙ୍କ ହିସାବ କିତାବ ବି ତାଙ୍କ ପାଖରେ ରହିଛି । ତେଣୁ କେଉଁମାନେ କିଭଳି ଭାବେ କାମ କରୁଛନ୍ତି ତାହାର ହିସାବ ନେବାକୁ ତାଙ୍କୁ ବେଶି ସମୟ ଲାଗିବନାହିଁ । ଶ୍ରୀ ଶର୍ମା ପୁଲିସ୍‍ କମିଶନର ଥିବାବେଳେ ଯେଉଁମାନେ ପୁଲିସ୍‍ ବାବୁମାନେ ରାଜଧାନୀ ଦାୟିତ୍ୱ ବୁଝୁଥିଲେ ସେମାନଙ୍କ ମଧ୍ୟରୁ କିଛି ଅଧିକାରୀ ଏବେ ବି ରାଜଧାନୀ ଓ ଏହାର ଆଖପାଖରେ ଅଛନ୍ତି ।
ରାଜଧାନୀକୁ ବଛା ବଛା ପୁଲିସ୍‍ ଅଫିସର ଆସୁଥିବାବେଳେ ଅପରାଧ ଏତେ ପରିମାଣରେ କିଭଳି ବଢିଛି ଶ୍ରୀ ଶର୍ମା ଖୁବ୍‍ଶୀଘ୍ର ତାହାର ହିସାବ ନିକାସ କରିବେ ବୋଲି ସୂଚନା ପାଇବାପରେ ଏବେ ପୁଲିସ୍‍ ବାବୁମାନଙ୍କ ଭିତରେ ଛନକା ପଶିଛି । ବିଶେଷକରି କେଉଁ ଥାନା ଇଲାକାରେ ବେଶି ନିଶା କାରବାର ହେଉଛି ଓ ନିଶା ବ୍ୟବସାୟୀମାନଙ୍କ ସହିତ କିଏ କିଭଳି ସମ୍ପର୍କ ରଖିଛି ତାହାର ତାଲିକା ବି ପ୍ରସ୍ତୁତ ହେବ ।
ଉଲ୍ଲେଖନୀୟ ଯେ ନୂଆ ପୁଲିସ୍‍ ଡିଜି ଶ୍ରୀ ଶର୍ମାଙ୍କ ଉପରେ ଜନସାଧାରଣଙ୍କର ଭରସା ରହିଥିବାବେଳେ ତାଙ୍କର ମଧ୍ୟ ନିଜସ୍ୱ ଜନସମ୍ପର୍କ ବେଶ୍‍ ଭଲ ରହିଛି । ସାଧାରଣ ଜନତାଠାରୁ ଆରମ୍ଭକରି ଗଣମାଧ୍ୟମ ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ତରରେ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ରହିଛି । ତେଣୁ ଏଭଳି ନିଶା କାରବାର ଓ ଅପରାଧ ଘଟିବାର କାରଣ ବିଷୟରେ ଜାଣିବା ତାଙ୍କପାଇଁ କିଛି କଷ୍ଟ ହେବାନାହିଁ ।

ତେବେ ଯେଉଁ ପୁଲିସ୍‍ ବାବୁମାନେ ଦୀର୍ଘଦିନ ଧରି ରାଜଧାନୀରେ ରହି କାମରେ ଫେଲ୍‍ ମାରିଛନ୍ତି ସେମାନେ ଅଧିକ ଛାନିଆ ହେବାରେ ଲାଗିଛନ୍ତି । କାରଣ ସାଧାରଣ ଲୋକଙ୍କ ଭିତରେ ରହିଥିବା ରାଗ ଖବର ଆକାରରେ ଯାଇ ନୂଆ ପୁଲିସ୍‍ ମୁଖ୍ୟଙ୍କ ନିକଟରେ ପହଞ୍ଚିଲେ ରାଜଧାନୀରୁ ବିଦାହେବା ଏକ ପ୍ରକାର ନିଶ୍ଚିତ ଭାବି କିଛି ପୁଲିସ୍‍ ବାବୁ ଏବେଠାରୁ ଦିନଗଣିବା ଆରମ୍ଭ କଲେଣି ।

 ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )