Odia News Portal

ରାଜସ୍ଥାନ କଂଗ୍ରେସ ଲଢେଇ ନିଆଁର ଧୂଆଁ ବାହାରୁଛି ଓଡିଶାରୁ

ଭୁବନେଶ୍ୱର : ରାଜସ୍ଥାନ କଂଗ୍ରେସରେ କ୍ଷମତାକୁ ନେଇ ପାଇଲଟ-ଗେହେଲଟ ଯୁଦ୍ଧର ଯେଉଁ ନିଆଁ ଜଳୁଛି ତାହାର ଧୂଆଁ ଏବେ ଓଡିଶାରେ ବାହାରିବାରେ ଲାଗିଛି । ରାଜସ୍ଥାନରେ କନ୍ଦଳକୁ ଏବେ ଓଡିଶା କଂଗ୍ରେସୀ ନେତାଙ୍କ ବୟାନବାଜି ଟପିଗଲାଣି । ଏହି ମଉକାରେ ନିରଞ୍ଜନ ହଟାଅ ଗୋଷ୍ଠି ଏବେ ଜିତେନ୍ଦ୍ରଙ୍କୁ ବି ଟାର୍ଗେଟ କରିଛନ୍ତି । ଓଡିଶା କଂଗ୍ରେସ ପ୍ରଭାରୀ ଥିବା ଜିତେନ୍ଦ୍ର ହେଉଛନ୍ତି ରାଜସ୍ଥାନ ଅଲୱର ରାଜପରିବାରର । ଏହି ଲୋକସଭା ଆସନରୁ ଜିଣି ସେ ୟୁପିଏ ସରକାରରେ ମନ୍ତ୍ରୀ
 ହୋଇଥିଲେ । ଓଡିଶା ଦାୟିତ୍ୱରେ ଥିଲେ ବି ରାଜସ୍ଥାନ କଂଗ୍ରେସ ରାଜନୀତି ସହିତ ସେ ଜଡିତ । ଯଦିଓ ଗତ ନିର୍ବାଚନରେ ଜିତେନ୍ଦ୍ର ହାରି ଯାଇଛନ୍ତି ତଥାପି ତାଙ୍କର ରାଜନୈତିକ ଭବିଷ୍ୟତ ରାଜସ୍ଥାନରେ ହିଁ ନିର୍ଭର କରୁଛନ୍ତି ।
ଅନ୍ୟ ପକ୍ଷରେ ଗତ ନିର୍ବାଚନ ପରଠାରୁ ଜିତେନ୍ଦ୍ର ଆଉ ଓଡିଶାକୁ ସେଭଳି ଆସୁନାହାନ୍ତି କି ଆଗ୍ରହ ବି ଦେଖାଉ ନାହାନ୍ତି । ଓଡିଶା କଂଗ୍ରେସର ଗୋଷ୍ଠି କନ୍ଦଳରେ ସେ ଏକ ପ୍ରକାର ଅତିଷ୍ଠ ।କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କର ଏକାନ୍ତ ଘନିଷ୍ଠ । ସେହିଭଳି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ତାଙ୍କର ସମ୍ପର୍କ ବି ନିବିଡ । ବହୁ ବିରୋଧ ସତ୍ୱେ ନିରଞ୍ଜନଙ୍କ ସପକ୍ଷରେ ଛିଡା ହୋଇଛନ୍ତି ଜିତେନ୍ଦ୍ର । ତେଣୁ ଏଭଳି ସ୍ଥିତିରେ ରାଜସ୍ଥାନ ରାଜନୀତିକୁ ଆଳ କରି ନିରଞ୍ଜନ ବିରୋଧି ଏବେ ଜିତେନ୍ଦ୍ରଙ୍କୁ ଏକ ପ୍ରକାର ଟାର୍ଗେଟ କରିଥିବା ଲକ୍ଷ୍ୟ କରାଯାଉଛି । ତେଣେ ଗୁଜୁରାଟ କଂଗ୍ରେସ ଯୁବ ନେତା ହାର୍ଦ୍ଦିକ ପଟେଲଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହେବାପରେ ଓଡିଶାରେ ସଭାପତି ବଦଳ ଜୋର ଧରିବାରେ ଲାଗିଛି । ଯେହେତୁ ଜିତେନ୍ଦ୍ର ଓଡିଶା ଦାୟିତ୍ୱରେ ଅଛନ୍ତି ତେଣୁ ରାଜ୍ୟର କିଛି କଂଗ୍ରେସ ନେତା ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦୁଇ ଫାଳ ହୋଇଯାଇଛନ୍ତି । ଦଳର ଯୁବ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ରାଜସ୍ଥାନ ଉପମୁଖ୍ୟମବୀ ସଚିନ ପାଇଲଟଙ୍କୁ ସମର୍ଥନ କରି ବୟାନ ଦେବାପରେ ଓଡିଶା କଂଗ୍ରେସରେ ଏକ ପ୍ରକାର ରାଜସ୍ଥାନ ଯୁଦ୍ଧ ଚାଲିଛି ।
ପ୍ରଦୀପ ବକ୍ତବ୍ୟ ଦେବା ପରେ ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତାରା ପ୍ରସାଦ ବାହିନିପତି ତାଙ୍କୁ ବିରୋଧ କରି ବିବୃତ୍ତି ରଖିଛନ୍ତି । ଏହି ମଉକାରେ ଓଡିଶାରେ କଂଗ୍ରେସ ସଭାପତି ବଦଳ ନେଇ ବି ଚର୍ଚ୍ଚା ଜୋର ଧରିଛି । ଏହି ବିବୃତ୍ତି ଯୁଦ୍ଧକୁ ଅନେକ ଆଶାୟୀ ଓ ବିରୋଧି କୁଦା ମାରିଛନ୍ତି । ତେଣୁ ରାଜସ୍ଥାନ କଂଗ୍ରେସକୁ ରାଜନୀତିକୁ ଆଳ କରି ଏବେ ଗୋଟିଏ ଗୁଳିରେ ଦୁଇଟି ଶିକାର ନ୍ୟାୟରେ ଉଭୟ ନିରଞ୍ଜନ ଓ ଜିତେନ୍ଦ୍ରଙ୍କୁ ହଟାଇବାପାଇଁ ଗୋଟଏି ଗୋଷ୍ଠି ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ପ୍ରଥମେ ରାଜସ୍ଥାନ ରାଜନୀତିକୁ ନେଇ ବୟାନବାଜି ଆରମ୍ଭ ହୋଇଥିବାବେଳେ ପରେ ଦଳ ବଦଳ ଚର୍ଚ୍ଚା ବି ଜୋର ଧରିଛି । ହେଲେ ଦଳ ଛାଡିବା ନେଇ ହେଉଥିବା ଚର୍ଚ୍ଚାରେ ସେଭଳି କୌଣସି ସତ୍ୟତା ନଥିବାବେଳେ ବାସ୍ତବରେ କିନ୍ତୁ ଜିତେନ୍ଦ୍ର-ନିରଞ୍ଜନ ଯୋଡିଙ୍କୁ ହଟାଇବାପାଇଁ ଏହା ସୁଚିନ୍ତିତ ଯୋଜନା ବୋଲି କଂଗ୍ରେସ କର୍ମୀମାନେ କହୁଛନ୍ତି । ତେବେ ସେ ଯାହା ହେଲେ ବି ରାଜସ୍ଥାନ କଂଗ୍ରେସ ଲଢେଇ ନିଆଁର ଧୂଆଁ ଯେଭଳି
ଓଡିଶାରୁ ବାହାରୁଛି ତାହା ଚର୍ଚ୍ଚା ପାଇଁ ବେଶ୍‍ ଖୋରାକ ଯୋଗାଇଛି