Odia News Portal

ମୁଖ୍ୟମନ୍ତ୍ରୀଙ୍କ ଡ୍ରୀମ ପ୍ରୋଜେକ୍ଟକୁ ବି ଛାଡିଲେନି ଯନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳ ମଧ୍ୟରେ ତାଙ୍କ ନାମରେ ଯେଉଁ କେତୋଟି ବଡ ସଫଳତା ରହିଛି ସେଥି ମଧ୍ୟରୁ ଗୋଟିଏ ହେଉଛି ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ । ଯେଉଁ କାମ ଅଶୀ ଦଶକରୁ କଂଗ୍ରେସ ନେତାମାନେ ଯେଉଁକାମ କରିପାରିନଥିଲେ ସେହି କାମକୁ ନବୀନ ପଟ୍ଟନାୟକ କରି ଦେଖାଇଲେ । ହେଲେ ଏହି ସଫଳତା ଭିତରେ ଇଞ୍ଜିନିୟରମାନେ କେଁ ପୂରାଇଦେଲେ । ଫଳ ହେଲା ଏଇଆ ଯେ ସେତୁରେ ଦୁର୍ନୀତି କଥାଟି ଉଠିଲା । ଏହି ସେତୁରୁ ଯେଉଁ ହାରରେ ସଫଳତା ମିଳିବାକଥା ତାହା ମିଳିଲାନାହିଁ ।
ଗୁରୁପ୍ରିୟା ସେତୁ ପାଇଁ କଂଗ୍ରେସ ସରକାର ଅଶୀ ଦଶକରୁ ଯୋଜନା ସହିତ ସର୍ଭେ କରିଥିଲେ । ହେଲେ ଏହି ବିଶାଳ ଯୋଜନାକୁ କାର୍ଯ୍ୟକାରୀ କରିପାରି ନଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଦ୍‍ ଯୋଗୁଁ ତାହା ସମ୍ଭବ ହୋଇପାରିଲା । ୯୧୦ ମିଟର ଲମ୍ବର ସେତୁପାଇଁ ଖର୍ଚ୍ଚ ହେଲା ୧୮୭କୋଟି ଟଙ୍କା । ୧୫୧ ଟି ବିଚ୍ଛିନ୍ନାଞ୍ଚଳର ଗାଁକୁ ଯୋଡିଲା ସେତୁ । ହେଲେ ସବୁ ପରେ ବି ଭାରତର ମହାଲେଖା ନିୟନ୍ତ୍ରକ ସେତୁରେ ଦୁର୍ନୀତି ଧରିଲେ । ସ୍ପଷ୍ଟଭାବେ ଦର୍ଶାଇଲେ ସେତୁରେ ପ୍ରାୟ ୭୬ କୋଟି ଟଙ୍କାର ଦୁର୍ନୀତି ହୋଇଛି । ସେତୁ ନିର୍ମାଣ କରିଥିବା ସଂସ୍ଥାକୁ ଯନ୍ତ୍ରୀମାନେ ଅହେତୁକ ଭାବେ ଅର୍ଥ ଫାଇଦା ଦେଇଛନ୍ତି ।
ଅବଶ୍ୟ ଏଜି ଏହି ଦୁର୍ନୀତିକୁ ଧରିବା ପୂର୍ବରୁ ସେତୁ ନିର୍ମାଣ ସମୟରେ ଅନେକ ବିଭ୍ରାଟ ଦେଖାଯାଇଥିଲା । କେତେବେଳେ ଖମ୍ବ ଦବିଲା ତ ଆଉ କେତେବେଳେ ପୋଲ ବି ଦବି ଗଲା । ହେଲେ ସେତେବେଳେ ଏହାକୁ ଅତି ଚତୁରତାର ସହିତ ଚାପି ଦିଆଗଲା । ସବୁ ଦୋଷ ନିର୍ମାଣକାରୀ ସଂସ୍ଥା ମୁଣ୍ଡରେ ଥୋଇ ଖସିଗଲେ ରାଜ୍ୟର ଯନ୍ତ୍ରୀ ମୁଖ୍ୟ ଓ ଅନ୍ୟ ଯନ୍ତ୍ରୀମାନେ । ଗଣମାଧ୍ୟମରେ ଯେତେ ରିପୋର୍ଟ ବାହାରିଲା ତାହାକୁ ଫାଙ୍କିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ବି ଅନ୍ଧାରରେ ରଖିଲେ ।
ଲକ୍ଷ୍ୟ ହେଲା ସେତୁରେ ଏଭଳି ଅଘଟଣ ପରେ ଖର୍ଚ୍ଚ ବଢାଇବା । ସେଥିରେ ସଫଳ ବି ହେଲେ । ହେଲେ ଏଜି ଅଡିଟରେ ଧରାପଡିବା ପରେ ପୁଣିଥରେ ତାହାକୁ ଚାପିବାରେ ସଫଳ ହେଲେ । ବିରୋଧିଦଳ ବି ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଘଟଣାକୁ ଇସ୍ୟୁ କରିବାକୁ ବାହାରିଥିଲେ । ହେଲେ କେଉଁ ଅକୁହା କାରଣ ଯୋଗୁଁ ସେମାନେ ବି ଦୁର୍ନୀତିକୁ ପାଶୋରୀ ଗଲେ । ସବୁଠାରୁ ବଡ କଥା ହେଲା ଯେତେବେଳେ ସେତୁ ଦୁର୍ନୀତିକୁ ନେଇ ବିରୋଧିଦଳ ସରକାରଙ୍କୁ ଘେରୁଥିଲେ ସେତିକିବେଳେ ସରକାର ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ଅବସର ପରେ ପୁନଃ ନିଯୁକ୍ତି ଦେଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଶ୍ରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୁରୁପ୍ରିୟା ସେତୁ କାର୍ଯ୍ୟ ହେଉଥିଲା । ସମସ୍ତ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପରେ କିଭଳି ଦୁର୍ନୀତି ହେଲା ଓ ରାଜ୍ୟ ବାହାରର ସଂସ୍ଥା କୋଟି କୋଟି ଟଙ୍କାର ଫାଇଦା ନେଇ ପଳାଇଲା ଏବଂ ଏଥିରୁ କିଏ କେତେ ଲାଭ ପାଇଲା ତାହାକୁ ନେଇ ଚାଲିଥିବା ଚର୍ଚ୍ଚା ଏବେ ବି ଯନ୍ତ୍ରୀ ମହଲରେ ଜାରି ରହିଛି ।