Odia News Portal

ଆଜି ଦୁଇଦଳ ପାଇଁ ଶକ୍ତି ପରୀକ୍ଷା

ବେଙ୍ଗାଲୁରୁ : ଆଜି ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ସିରିଜ୍‌ ନିର୍ଣ୍ଣାୟକ ଦିନିକିଆ। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସାରିଛନ୍ତି । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦଳ ଭାବେ ପ୍ରମାଣ କରିବାର ସମୟ ଉପନୀତ । ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅସଲ ପରୀକ୍ଷା ହେବ । ଏଥିପାଇଁ ଉଭୟ ଦଳ ପ୍ରସ୍ତୁତ ।

ଗତ ବର୍ଷର ଦିନିକିଆ ସିରିଜ ପରାଜୟକୁ ଭୁଲି ନଥିବା ଭାରତୀୟ ଦଳ ଚଳିତ ସିରିଜର ପ୍ରଥମ ମ୍ୟାଚ୍‌ରୁ ଝୁଣ୍ଟିଥିଲା । ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ୧୦ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ବିଗତ ୫/୭ବର୍ଷ ମଧ୍ୟରେ ଭାରତୀୟ ଦଳକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ କୌଣସି ଦଳ ଏଭଳି ଏକତରଫା ଭାବେ ହରାଇ ନଥିଲେ । ଅବଶ୍ୟ ରାଜକୋଟ୍‌ ଦିନିକିଆରେ ଭାରତ ତ୍ରୁଟି ସୁଧାରିଥିଲା । ତଥାପି ବିଜୟ ପାଇଁ ଦଳକୁ କମ୍‌ ପରିଶ୍ରମ କରିବାକୁ ପଡ଼ି ନଥିଲା । ବ୍ୟାଟିଂ ବିଭାଗକୁ ନେଇ ଭାରତର ଚିନ୍ତା ଏକ ପ୍ରକାର ଦୂର ହୋଇ ଯାଇଛି । ଦ୍ୱିତୀୟ ଦିନିକିଆରେ ମଧ୍ୟଭାଗରେ ବ୍ୟାଟିଂ କରି ଲୋକେଶ ରାହୁଲ ସଫଳ ହେବା ପରେ ଅଧିନାୟକ ବିରାଟ କୋହଲି ଓ ଟିମ୍‌ ମ୍ୟାନେଜମେଣ୍ଟ ଆସ୍ୱସ୍ତ । ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ(୫୨ବଲରୁ ୮୦ରନ୍‌) ବଳରେ ଭାରତ ୩୪୦ ରନ୍‌ର ବିଶାଳ ସ୍କୋର ସଂଗ୍ରହ କରିଥିଲା । କେବଳ ସେତିକି ନୁହେଁ, ତାଙ୍କ ୱିକେଟ୍‌ କିପିଙ୍ଗ୍‌ ମଧ୍ୟ ଉଚ୍ଚକୋଟୀର ରହିଥିଲା । ଦଳ ରିଶଭ ପନ୍ତଙ୍କ ଅନୁପସ୍ଥିତି ଅନୁଭବ କରିନଥିଲା । ଆସନ୍ତା କାଲି ଘରୋଇ ଗ୍ରାଉଣ୍ଡରେ ଖେଳୁଥିବାରୁ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ପେସ୍‌ ବୋଲର ନବଦୀପ ସାଇନି ଏକାଦଶରେ ସ୍ଥାନ ପାଇବା ପରେ ଭାରତର ବୋଲିଂ ବିଭାଗ ସନ୍ତୁଳିତ ହୋଇଛି । ବୁମରା ଓ ସାମିଙ୍କ ସହ ସାଇନିଙ୍କ ଘାତକ ପେସ୍‌ ଅଷ୍ଟ୍ରେଲିଆର ବ୍ୟାଟିଂ ବିଭାଗକୁ ଧ୍ୱଂସ କରିପାରିବ । କୁଲଦୀପ ଯାଦବ ଓ ରବିନ୍ଦ୍ର ଜାଡେଜା ସ୍ପିନ ବିଭାଗ ସମ୍ଭାଳିବେ ।

ପୁଣି କୋହଲି-ଜାମ୍ପା: ଆସନ୍ତା କାଲି ଟିମ୍‌ ଇଣ୍ଡିଆ ଅଧିନାୟକ କୋହଲି ଓ ଅଷ୍ଟ୍ରେଲିଆ ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ କୋହଲିଙ୍କୁ ଆଉଟ୍‌ କରିବାରେ ଜାମ୍ପା ସଫଳ ହୋଇଛନ୍ତି । ଗତବର୍ଷ ମଧ୍ୟ ତାଙ୍କୁ ଜାମ୍ପା ୩ଥର ଆଉଟ୍‌ କରିଥିଲେ ।

ଭାରତର ଆହତ ଚିନ୍ତା: ଦ୍ୱିତୀୟ ଦିନିକିଆରେ ଉଭୟ ଓପନର ଶିଖର ଧାୱନ ଓ ରୋହିତ ଶର୍ମା ଆହତ ହୋଇଥିଲେ । ବ୍ୟାଟିଂ ବେଳେ ଧାୱନଙ୍କ ପଞ୍ଜରାରେ ବଲ୍‌ ବାଜିଥିଲା । ହେଲେ ଆସନ୍ତା କାଲିର ମ୍ୟାଚ୍‌ ପାଇଁ ସେ ଫିଟ୍‌ ଘୋଷିତ ହୋଇଛନ୍ତି । ରୋହିତଙ୍କ ଫିଟ୍‌ନେସ୍‌କୁ ନେଇ ଏପର୍ଯ୍ୟନ୍ତ କୌଣସି ଖବର ମିଳି ନାହିଁ । ଫିଲ୍ଡିଂ ବେଳେ ରୋହିତଙ୍କ କାନ୍ଧରେ ଆଘାତ ଲାଗିଥିଲା ।

ଟସ୍‌ ଜିତିଲେ ଫିଲ୍ଡିଂ: ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ର ପିଚ୍‌ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ସହାୟତା ପ୍ରଦାନ କରିବ । ରାତିରେ କାକର ପ୍ରଭାବ ରହୁଥିବାରୁ ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ ସହଜ ହେବ । ତେଣୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।