Odia News Portal

ଭାରତ ୭ ଓ୍ୱିକେଟରେ ବିଜୟୀ : ରୋହିତ ଓ ବିରାଟଙ୍କ ଦମଦାର ଇନିଂସ

ବାଙ୍ଗାଲୋର : ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲାରେ ଭାରତ ୭ ଓ୍ୱିକେଟରେ ବିଜୟୀ ହୋଇଛି। ଏହାସହ ଭାରତ ତିନିଟିକିଆ ସିରିଜକୁ ୨-୧ରେ ମଧ୍ୟ ହାତେଇଛି। ପ୍ରଥମେ ବୋଲରଙ୍କ ମାପଚୁପ ବୋଲିଂ ଓ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଦମଦାର ଇନିଂସ ଭାରତକୁ ବିଜୟୀ କରାଇଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ବଡ ସ୍କୋର କରିବା ଲକ୍ଷରେ ଥିଲା। କିନ୍ତୁ ଓପନର ତଥା ଇନଫର୍ମ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ମାତ୍ର ୩ରନ କରି ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ। ଏହାପରେ ଆରୋନ ଫିଞ୍ଚ ମଧ୍ୟ ମାତ୍ର ୧୯ ରନରେ ଆଉଟ ହୋଇଥିଲେ। ତେବେ ଷ୍ଟିଭ୍ ସ୍ମିଥ ଧର୍ଯ୍ୟର ସହ ବ୍ୟାଟିଂ କରି ଶତକ ପୂରଣ କରିଥିଲେ। ସେ ୧୩୨ବଲରୁ ୧୩୧ ରନ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ନସ୍ ଲାବୁସେନ୍ ୫୪ ରନ କରି ଆଉଟ ହୋଇଥିଲେ। ସେହିପରି ମିଚେଲ୍ ଷ୍ଟାର୍କ୍ ୦ ଓ ଆଲେକ୍ସ୍ କେରୀ ୨୫ ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୪ଟି, ରବୀନ୍ଦ୍ର ଜାଡେଜା ୨ଟି ଓ୍ୱିକେଟ୍ ନେଇଥିବା ବେଳେ ନବଦୀପ ସାଇନୀ ଓ କୂଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ।

ଦ୍ୱିତୀୟ ପାଳିରେ ଭାରତ ପାଇଁ ଓପନିଂ ଯୋଡିରେ କେଏଲ ରାହୁଲ ଓ ରୋହିତ ଶର୍ମା ଓହ୍ଲାଇଥିଲେ। ଶିଖର ଧାଓ୍ୱନ ଫିଲ୍ଡିଂ ବେଳେ ଆହତ ହେତୁ ବ୍ୟାଟିଂ କରିପାରି ନଥିଲେ। ତେବେ ଦୁଇ ଓପନର ଭଲ ସ୍କୋର ଅଭିମୁଖେ ଗତି କଲା ବେଳେ ରାହୁଲ ୧୯ ରନ କରି ଆଉଟ ହୋଇଥିଲେ। କିନ୍ତୁ ରୋହିତ ନିଜ ଅନ୍ଦାଜରେ ବ୍ୟାଟିଂ ଜାରି ରଖିଥିଲେ। ସେ କୌଣସି କଙ୍ଗାରୁ ବୋଲରଙ୍କୁ ଖାତିର ନକରି ପ୍ରହାର କରିଥିଲେ। ଅଧିନାୟକ କୋହଲି ତାଙ୍କୁ ଉପଯୁକ୍ତ ସହାୟତା ଯୋଗାଇଥିଲେ। ଏହାପରେ ରୋହିତ ଶତକ ହାସଲ କରିବା ସହ ଆକ୍ରମଣାତ୍ମକ ଖେଳିଥିଲେ।

ସେ ଦିନିକିଆରେ ୯୦୦୦ ରନ ପୂରଣ କରି ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିଥିଲେ। ରୋହିତ ୧୨୮ ବଲରୁ ୧୧୯ ରନ କରି ଆଉଟ୍ ହୋଇଥିଲେ। ଏହି ଇନିଂସରେ ୬ଟି ଛକ୍କା ଓ ୮ଟି ଚୌକା ରହିଥିଲା। ସେହିପରି ବିରାଟ ମଧ୍ୟ ଦମଦାର ୮୯ ରନ କରି ଆଉଟ ହୋଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର ଉପଯୋଗୀ ୪୪ ରନ କରିଥିଲେ। ଫଳରେ ଭାରତ ୪୭.୩ ଓଭରରେ ୩ ଓ୍ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ପେଟ୍ କମିନ୍ସ୍, ଆଡାମ ଜାମ୍ପା ଓ ମିଚେଲ୍ ଷ୍ଟାର୍କ୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ।