Odia News Portal

ନ୍ୟୁଜିଲାଣ୍ଡ ଭାରତ ଠାରୁ ୧୮୩ ରନରେ ଅଗ୍ରଣୀ

ୱେଲିଂଟନ : ନ୍ୟୁଜିଲାଣ୍ଡର ୱେଲିଂଟନ ଠାରେ ଖେଳ ଜାରିଥିବା ପ୍ରଥମ  ମ୍ୟାଚର ଆଜି ତୃତୀୟ ଦିନ । ନ୍ୟୁଜିଲାଣ୍ଡ ତାର ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୩୪୮ ରନ ସଂଗ୍ରହ କରିଛି । ଏଥି ସହିତ ଦଳ ଭାରତଠାରୁ ୧୮୩ ରନରେ ଅଗ୍ରଣୀ ରହିଛି । ଭାରତର ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ଏହି ଇନିଂସରେ ୫ଟି ୱିକେଟ ମିଳିଛି । ସେ ୨୨.୨ ଓଭର ବୋଲିଂ କରି ୬୮ ରନ ଖର୍ଚ୍ଚ କରିଛନ୍ତି । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୨୯ ଓଭର ବୋଲିଂ କରି ୩ଟି ୱିକେଟ ହାସଲ କରିଥିବା ବେଳେ ଦ୍ରୁତ ବୋଲର ଯଶପ୍ରୀତ ବୁମାର ଓ ମହମ୍ମଦ ସାମିଙ୍କୁ ମିଳିଛି ଗୋଟିଏ ଲେଖାଏଁ ୱିକେଟ ।

ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିଲେ ଅଧିନାୟକ କେନ ୱିଲିୟମସନ । ସେ ୧୧ଟି ଚୌକା ବଳରେ ୮୯ ରନ ସଂଗ୍ରହ କରିଥିଲେ । ସେହିପରି ରସ ଟେଲରଙ୍କ ବ୍ୟାଟରୁ ଦଳକୁ ମିଳିଥିଲା ୪୪ ରନ । ଟମ ବ୍ଲଣ୍ଡେଲ ୩୦ ରନ, ବିଜେ ୱେଟଲିଂ ୪୩ ରନ, କେଲି ଜେମିଶନ ୪୪ ରନ ଓ ଟ୍ରେଣ୍ଟ ବୋଲ୍ଟ ୩୬ ରନ ଯୋଇଥିଲେ ।

ଆୟୋଜକ କ୍ୱିୱି ଟିମ ଦ୍ୱିତୀୟ ଦିନରେ ଭାରତ ଠାରୁ ୫୧ ରନ ଅଗ୍ରଣୀ ଥିଲା । ଖରାପ ଲାଇଟ ଯୋଗୁଁ ମ୍ୟାଚକୁ ବନ୍ଦ କରିବାକୁ ପଡ଼ିଥିଲା । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ୫ଟି ୱିକେଟ ହରାଇ ୨୧୬ ରନ ସଂଗ୍ରହ କରିଥିଲା । ଭାରତ ପ୍ରଥମ ଇନିଂସରେ ୧୬୫ ରନରେ ଅଲଆଉଟ ହୋଇଥିଲା । ଏହି ମ୍ୟାଚରେ  ଟସ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା ।

ଭାରତକୁ ବଡ଼ ସ୍କୋର କରିବାକୁ ଦେଇ ନ ଥିଲା ନ୍ୟୁଜିଲାଣ୍ଡ । ଦଳର ବୋଲରମାନେ ପ୍ରଭାବଶାଳୀ ଦେଖାଯାଇଥିଲେ । ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ଦେଖାଯାଇଥିଲା । ଓପନର ପୃଥ୍ୱୀ ଶା ୧୬ ରନ କରି ଟିମ ସାଉଦୀଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନକୁ ଫେରିଥିଲେ । ସେ ୧୮ଟି ବଲ ଖେଳି ୨ଟି ଚୌକା ମାରିଥିଲେ । ପୃଥ୍ମୀ ଆଉଟ ହେବା ବେଳକୁ ଭାରତର ସ୍କୋର ୧୬ ରନ ଥିଲା । ତାଙ୍କ ସ୍ଥାନ ପୂରଣ କରିବାକୁ ପଡ଼ିଆକୁ ଆସିଥିଲେ ଚେତେଶ୍ୱର ପୂଜାରା । କିନ୍ତୁ ଯୋଗକୁ ପୂଜାରା ୪୨ଟି ବଲ ଖେଳିଥିଲେ ହେଁ ମାତ୍ର ୧୧ ରନ ଦଳରେ ସ୍କୋରକୁ ଯୋଗଦାନ କରିପାରିଥିଲେ । ଏଥିରେ ସେ ଗୋଟିଏ ଚୌକା ମାରିଥିଲେ ।