Odia News Portal

ମହିଳା ଟି-୨୦ ବିଶ୍ୱକପ : ଭାରତର ଦ୍ୱିତୀୟ ଵିଜୟ

ପର୍ଥ : ଶେଫାଳି ବର୍ମାଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନକୁ ଆଧାର କରି ଭାରତ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିଲା।

ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୪ ରନ୍ କରି ପରାସ୍ତ ହୋଇଛି। ବୋଲିଂରେ ପୁନମ ଯାଦବ ଓ ଶିଖା ପାଣ୍ଡେ ପୁଣିଥରେ କମାଲ୍ କରିଛନ୍ତି। ବ୍ୟାଟିଂରେ ମାତ୍ର ୧୭ ବଲରେ ୨ ଚୌକା ଓ ୪ ଛକା ସହାୟତାରେ ଦ୍ରୁତ ୩୯ ରନ୍ କରିଥିବା ଶେଫାଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଭାରତ ଗ୍ରୁପ୍‌-ଏ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି।

ୱାକା ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚରେ ଭାରତର ନିୟମିତ ଓପ୍ନର ସ୍ମୃତି ମନ୍ଧାନା ଅସୁସ୍ଥତା କାରଣରୁ ଖେଳିପାରିନଥିଲେ। ତାଙ୍କ ସ୍ଥାନରେ ଶେଫାଳିଙ୍କ ସହ ଓପନ୍ କରିଥିବା ତାନିଆ ଭାଟିଆ (୨) ନିରାଶ କରିଥିଲେ। ତେବେ ଶେଫାଳି ନିଜର ସ୍ୱାଭାବିକ ଖେଳ ଜାରି ରଖି ଛକା ବର୍ଷା କରିଥିଲେ। ଦଳର ସ୍କୋର ୫୩ ଥିବା ବେଳେ ଶେଫାଳିଙ୍କୁ ବିପକ୍ଷ ଦଳର ମିଡିୟମ୍ ପେସର୍ ପାନ୍ନା ଘୋଷ ପ୍ୟାଭିଲିୟନ୍ ପଠାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ ହରମନପ୍ରୀତ କୌର୍ (୮) ପୁଣିଥରେ ଶସ୍ତାରେ ଆଉଟ୍ ହୋଇଥିଲେ।

ଜେମିମା ରୋଡ୍ରିଗ୍ସ ୩୪ (୩୭ ବଲ୍‌, ୨ ଚୌକା, ୧ ଛକା) ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳିଥିବା ବେଳେ ଦୀପ୍ତି ଶର୍ମା ୧୧ ରନ୍ କରି ରନଆଉଟ୍ ହୋଇଥିଲେ। ୧୬ ବର୍ଷୀୟା ରିଚା ଘୋଷ ୧୪ ରନ୍ କରି ସଲମା ଖାତୁନଙ୍କ ଶିକାର ହୋଇଥିଲେ। ତେବେ ଶେଷଭାଗରେ ବେଦା କ୍ରିଷ୍ଣମୂର୍ତ୍ତୀ ଦ୍ରୁତ ଅପରାଜିତ ୨୦ (୧୧ ବଲ୍‌, ୪ ଚୌକା) ରନ୍ କରି ଭାରତକୁ ୧୪୨ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ତାଙ୍କ ସହ ଶିଖା ପାଣ୍ଡେ ୭ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ଖାତୁନ୍ ଓ ପାନ୍ନା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

୧୪୩ ରନର ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଏକ ସମୟରେ ୬୧ ରନରେ ୨ ୱିକେଟ୍ ହରାଇ ଭଲ ସ୍ଥିତିରେ ଥିଲା। କିନ୍ତୁ ଏହା ପରେ ଭାରତୀୟ ସ୍ପିନର ପୁନମ୍ ଲଗାତର ୱିକେଟ୍ ନେଇ ବାଂଲାଦେଶ ରନରେ ଅଙ୍କୁଶ ଲଗାଇଥିଲେ। ବାଂଲାଦେଶ ପକ୍ଷରୁ ନିଗାର ସୁଲତାନା ସର୍ବାଧିକ ୩୫ ରନ୍ କରିଥିବା ବେଳେ ମୁର୍ଶିଦା ଖାତୁନ୍ ୩୦, ଫାହିମା ଖାତୁନ୍ ୧୭, ରୁମାନା ଅହମ୍ମଦ ୧୩, ସଞ୍ଜିଦା ଇସଲାମ୍ ୧୦ ଓ ଜାହାନାରା ଆଲମ୍ ୧୦ ରନ୍ କରିଥିଲେ। ଭାରତର ସଫଳ ବୋଲର ଭାବେ ପୁନମ ୧୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଶିଖା ଓ ଅରୁନ୍ଧତୀ ରେଡ୍ଡୀ ୨ଟି ଲେଖାଏ ୱିକେଟ୍ ପାଇଥିଲେ।