Odia News Portal

ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟିରେ ବୀରେନ୍ଦ୍ର ଓ ସର୍ଦ୍ଦାର ସାମିଲ

ନୂଆଦିଲ୍ଲୀ : ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟିରେ ସାମିଲ ହୋଇଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଓ ପୂର୍ବତନ ହକି ତାରକା ସର୍ଦ୍ଦାର ସିଂହ । କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ୧୨ ଜଣିଆ ଚୟନ କମିଟି ଗଠନ କରାଯାଇଛି । ଏହି କମିଟିରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମୁକୁନ୍ଦକାମ ଶର୍ମା ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ସେହ୍ୱାଗ ଓ ସର୍ଦ୍ଦାରଙ୍କ ସହ ଏହି କମିଟିରେ ରହିଛନ୍ତି ପାରା ଅଲିମ୍ପିଆନ ଦୀପା ମଲିକ, ପୂର୍ବତନ ଟେନିସ ଖେଳାଳି ମୋନାଲିସା ମେହେଟା, ବକ୍ସର ଭେଙ୍କଟେଶ୍ୱର ଦେବରାଜନ, କ୍ରୀଡ଼ା ଭାଷ୍ୟକାର ମନୀଷ ଭାଟିଆ, କ୍ରୀଡ଼ା ସାମ୍ବାଦିକ ଆଲୋକ ସିହ୍ନା ଓ ନୀରୁ ଭାଟିଆ ।

ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ, ଯୁଗ୍ମ ସମ୍ପାଦକ ଏଲଏସ୍‌ ସିଂହ ଏବଂ ଟିଓପିଏସ ସିଇଓ ରାଜେଶ ରାଜାଗୋପାଳନ ମଧ୍ୟ କମିଟିରେ ସଦସ୍ୟ ରହିଛନ୍ତି । ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ତିଥିରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇ ଥାଏ । ପୂର୍ବ ବର୍ଷମାନଙ୍କରେ କ୍ରୀଡ଼ା ପୁରସ୍କାର ଓ ଆବେଦନ ପକ୍ରିୟାକୁ ନେଇ ବହୁ ବାଦବିବାଦ ଦେଖାଦେଇଥିଲା । ଏମିତିକି ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ମାତ୍ର ଚଳିତ ବର୍ଷ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଆବେଦନ ପ୍ରକ୍ରିୟାରେ ପରିବର୍ତ୍ତନ କରିଥିଲେ । କ୍ରୀଡ଼ା ସଂଘ, ରାଜ୍ୟ ସରକାରଙ୍କ ସହ ନିଜେ କ୍ରୀଡ଼ାବିତମାନେ ନିଜକୁ ଯୋଗ୍ୟ ମନେ କରୁଥିଲେ ପୁରସ୍କାର ପାଇଁ ନିଜ ନାମ ନିଜେ ସୁପାରିସ୍‌ କରିପାରିବେ ବୋଲି ନିୟମ ହୋଇଥିଲା । ସେମିତି କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ଇ-ମେଲ ଯୋଗେ ଦରଖାସ୍ତ ପଠାଇବାକୁ କୁହାଯାଇଥିଲା । ପୁରସ୍କାର ପାଇଁ ଆବେଦନର ସମୟ ସୀମା ଶେଷ ହୋଇ ଯାଇଛି । ପୂର୍ବାବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଆବେଦନ ପତ୍ର ବହୁ ଅଧିକ ରହିଥିବ ନିଶ୍ଚିତ । ତେଣୁ ପୁରସ୍କାର ଚୟନରେ ଚୟନ କମିଟିକୁ ଅଧିକ ସମୟ ଲାଗିପାରେ।