ନୂଆଦିଲ୍ଲୀ : ଭାରତୀୟ ହକି ଜଗତର କିମ୍ବଦନ୍ତୀ ତାରକା ମେଜର ଧ୍ୟାନଚନ୍ଦଙ୍କ ଜନ୍ମଦିନ ସ୍ମୃତିରେ ପ୍ରତି ବର୍ଷ ଅଗଷ୍ଟ ୨୯ ତାରିଖକୁ ସମଗ୍ର ଦେଶରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଏ। ୧୯୦୫, ଅଗଷ୍ଟ ଆଜିର ଦିନ ପ୍ରୟାଗରାଜଠାରେ ସେ ଜନ୍ମଗ୍ରହଣ କରିଥିଲେ । ମେଜର ଧ୍ୟାନଚନ୍ଦ ୧୯୩୬ ମସିହାରେ ଅନୁଷ୍ଠିତ ବର୍ଲିନ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳର ଅଧିନାୟକ ଥିଲେ । ସମଗ୍ର ବିଶ୍ୱରେ ସେ ହକି ୱିଜାର୍ଡ ନାମରେ ପରିଚିତ । ତାଙ୍କୁ ସମ୍ମାନ ଜଣାଇ ଭାରତରେ ପ୍ରତି ବର୍ଷ ଜାତୀୟ ସ୍ତରରେ କ୍ରୀଡ଼ା ଦିବସ ଆୟୋଜିତ ହୋଇଥାଏ ।
ପ୍ରତି ବର୍ଷ ରାଷ୍ଟ୍ରପତି ଭବନରେ ଏହି ଦିବସ ପାଳିତ ହୁଏ । ଏ କ୍ଷେତ୍ରରେ ବିଶ୍ୱ ସ୍ତରରେ ଦେଶକୁ ଗୌରବାନ୍ୱିତ କରିଥିବା ବିଜେତାଙ୍କୁ ଏହି ଉପଲକ୍ଷେ ଜାତୀୟ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଏ। ଜାତୀୟ କ୍ରୀଡ଼ା ଦିବସ ଅଧୀନରେ କ୍ରୀଡ଼ାବିତ୍ ଓ ପୂର୍ବତନ କ୍ରୀଡ଼ାବିତ୍ଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ସମ୍ମାନ ଆଦିରେ ସମ୍ମାନିତ କରାଯାଏ । ଏଥିସହ ‘ଧ୍ୟାନଚନ୍ଦ’ ସମ୍ମାନ ମଧ୍ୟ ଏ ଅବସରରେ ପ୍ରଦାନ କରାଯାଏ।