ମୁମ୍ବାଇ : ଭାରତ ବନାମ ସାଉଥ ଆଫ୍ରିକା ସିରିଜ୍ ଲାଗି ଟିମ୍ ଇଣ୍ଡିଆର ଘୋଷଣା ହୋଇଛି। ଏଥିରେ ଖେଳିପାରିବେନି ବୋଲି ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନୀ ପୂର୍ବରୁ ବିସିସିଆଇଙ୍କୁ ଜଣାଇ ଦେଇଥିବା ବେଳେ ଜଶପ୍ରୀତ ବୁମରାଙ୍କୁ ଟିମ୍ ରୁ ବାଦ ଦିଆଯାଇଛି। ତେବେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଗୁରୁବାର ବିସିସିଆଇ ସାଉଥ ଆଫ୍ରିକା ବିପକ୍ଷରେ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି। ଏଥିରେ ଧୋନୀଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ୱିକେଟ୍ କିପର ତଥା ବ୍ୟାଟସ୍ ମ୍ୟାନ ଭାବେ ଟିମରେ ସ୍ଥାନ ମିଳିଥିବା ବେଳେ ବିରାଟ କୋହଲୀଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି।
ସେହିପରି ରୋହିତ ଶର୍ମାଙ୍କୁ ଉପ ଅଧିନାୟକ, କେ.ଏଲ.ରାହୁଲ, ଶିଖର ଧାୱନ, ଶ୍ରେୟସ ଅୟର, ମନିଷ ପାଣ୍ଡେୟ,ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁନାଲ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ରାହୁଲ ଚହର, ଖଲୀଲ ଅହମ୍ମଦ, ଦୀପକ ଚହର ଓ ନବଦୀପ ସୋନୀଙ୍କୁ ନେଇ ଖେଳାଳି ସୂଚୀ ପ୍ରସ୍ତୁତ କରିଛନ୍ତି ବିସିସିଆଇ ଚୟନ ସିମିତି। ଭ୍ରମଣକାରୀ ସାଉଥ ଆଫ୍ରିକା ସେପ୍ଟେମ୍ବର ୧୫ ତାରିଖରେ ଧର୍ମଶାଳା ଠାରେ ପ୍ରଥମ ଟି-୨୦ ମ୍ୟାଚ୍ ରେ ଟିମ୍ ଇଣ୍ଡିଆକୁ ଭେଟିବ। ସେହିପରି ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୧୮ ତାରିଖ ଦିନ ମୋହାଲିରେ ହେବାକୁ ଥିବା ବେଳେ ସିରିଜର ଶେଷ ଟି-୨୦ ସେପ୍ଟେମ୍ବର ୨୨ ତାରିଖ ଦିନ ଖେଳାଯିବ। ଏହି ଗସ୍ତକାଳରେ ସାଉଥ ଆଫ୍ରିକା ଅନ୍ତର୍ଜାତୀୟ ଏକଦିବସୀୟ ସମେତ ଟେଷ୍ଟ ବି ଖେଳିବ ।