Odia News Portal

ଶମିଙ୍କ ପରେ ଗୁରୁତର ଅଭିଯୋଗରେ ଫସିଲେ ମୁନାଫ ପଟେଲ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ବୋଲର ମହମ୍ମଦ ଶମୀଙ୍କ ବିରୋଧରେ ତାଙ୍କ ପତ୍ନୀ ଆଣିଥିବା ଅଭିଯୋଗ ଲାଗି ତାଙ୍କୁ ଏବେ କୋର୍ଟରେ ଚକ୍କର ଲଗେଇବାକୁ ପଡୁଛି। ଶମୀ ଏପର୍ଯ୍ୟନ୍ତ ପତ୍ନୀଙ୍କ ଅଭିଯୋଗରୁ ମୁକ୍ତ ହୋଇନଥିବା ବେଳେ ଏବେ ଆଉଜଣେ କ୍ରିକେଟରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ହୁଏତ ଏଥିଲାଗି ତାଙ୍କୁ ନିକଟ ଭବିଷ୍ୟତରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି।

ଶମୀଙ୍କ ଭଳି ଅଡୁଆରେ ପଡିଥିବା ଏହି କ୍ରିକେଟର ହେଉଛନ୍ତି ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମୁନାଫ ପଟେଲ। ମୁନାଫଙ୍କ ଉପରେ କାହାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ଆସିଛି। ବଡୋଦରା କ୍ରିକେଟ ଆସୋସିଏସନର ପ୍ରୋଟେକ୍ଟର ଅଫ ଇଣ୍ଟରେଷ୍ଟ କମିଟି ସଭାପତି  ଦେବେନ୍ଦ୍ର ସୁରତୀ ମୁନାଫଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ସେ ଆସୋସିଏସନରେ ଚାଲିଥିବା ଭ୍ରଷ୍ଟାଚାର ବିରୋଧରେ ମୁହଁ ଖୋଲିବାରୁ ମୁନାଫ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସୁରତି ଅଭିଯୋଗ କରିଛନ୍ତି।

ଏ ନେଇ ସେ ନବାପୁରା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏଥିରେ ଗତ ରବିବାର ତାଙ୍କୁ ମୁନାଫ ଡକାଇ ଧମକାଇଥିବା ଉଲ୍ଲେଖ କରିଛନ୍ତି। ମୁନାଫ ଏବେ ବଡୋଦରା ସିନିୟର ଟିମର ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ତେବେ ନବାପୁରା ଥାନା ଓଆଇସି ଆର.ଏମ.ଚୌହାନ  ଦେବେନ୍ଦ୍ର ତାଙ୍କୁ ଏକ ଆପ୍ଲିକେସନ ଦେଇଥିବା କହିଛନ୍ତି। ହେଲେ ଅଭିଯୋଗ କରିନାହାନ୍ତି ବୋଲି କହିଛନ୍ତି। ତେବେ ସେ ଯଦି ଅଭିଯୋଗ କରନ୍ତି ତେବେ ପୋଲିସ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ କରିବ ବୋଲି କହିଛନ୍ତି ଚୌହାନ।

ଦେବେନ୍ଦ୍ର ପୋଲିସରେ ଦେଇଥିବା ଆପ୍ଲିକେସନରେ ତାଙ୍କ ପ୍ରତି ଅଥବା ତାଙ୍କ ପରିବାର ପ୍ରତି ଯଦି କୌଣସି ପ୍ରକାର ଅପ୍ରିତିକର ଘଟଣା ହୁଏ ତେବେ ଏଥିଲାଗି ମୁନାଫ ଦାୟି ରହିବେ ବୋଲି ଉଲ୍ଲେଖ କରିଛନ୍ତି।