Odia News Portal

ଦ୍ୱିତୀୟ ଟି-୨୦ : ୮ ଓ୍ଵିକେଟ୍‌ରେ ହାରିଲା ବାଂଲାଦେଶ

ରାଜକୋଟ :  ଠିକଣା ସମୟରେ ଅସଲ ରୂପ ଦେଖାଇଲା ଟିମ୍‌ ଇଣ୍ଡିଆ । ବାଂଲାଦେଶ ଠାରୁ ପ୍ରତିଶୋଧ ନେଇଛି । ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି ଭାରତୀୟ ଦଳ । ୧୫୪ ରନ୍‌ ଲକ୍ଷ୍ୟର ପିଛା କରି ଘରୋଇ ଦଳ ୨ ଓ୍ଵିକେଟ୍‌ ହରାଇ ବିଜୟୀ ହୋଇଥିଲା । ଏହି ବିଜୟ ଫଳରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୧-୧ ସ୍ଥିତିକୁ ଆସିଛି ।

ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ନାଗପୁର ଠାରେ ୧୦ ତାରିଖ ଦିନ ଖେଳାଯିବ । ଦୁଇ ପୋଖତ ଓପ୍ନର ରୋହିତ ଶର୍ମା ଓ ଶିଖର ଧବନ୍‌ ଓପନିଂ ଯୋଡ଼ିରେ ଶତକୀୟ ଭାଗିଦାରୀ କରି ସବୁ କାମ ସାରି ଦେଇଥିଲେ । ରୋହିତ ଓ ଧବନ୍‌ ପ୍ରଥମରୁ ଆଟାକ୍‌ କରି ବାଂଲାଦେଶ ବୋଲରଙ୍କୁ ପ୍ରହାର କରିଥିଲେ । ବିଶେଷ କରି ରୋହିତ ଜୋରଦାର ଆକ୍ରମଣ କରିବା ଫଳରେ ଅତି ସହଜରେ ୬ ଓଭର୍‌ରେ ଦଳ ୫୦ ରନ୍‌ ପାର କରି ଯାଇଥିଲା ।

ନିଜର ୧୦୦ତମ ଟି-୨୦ ମ୍ୟାଚ୍‌ରେ ରୋହିତ ଶର୍ମା ୪୧ ବଲରୁ ୮୫ ରନ୍‌ କରିଥିଲେ । ରୋହିତ ମାତ୍ର ୨୩ଟି ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ସେଥିରେ ସେ ୬ଟି ଚୌକା ଓ ୩ଟି ଛକା ମାରିଥିଲେ । ଶିଖର ଧବନ୍‌ ୩୧ ରନ୍‌ ସ୍କୋର କରିଥିଲେ । ଆୟର ୨୪ ରନ୍ କରି ଅପରାଜିତ ରହିଥିଲେ ।