Odia News Portal

ଧୋନୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ଉଚିତ

ନୂଆଦିଲ୍ଲୀ () ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶନିବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି । ସେ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏନେଇ ଘୋଷଣା କରିଛନ୍ତି । ସେ ସନ୍ୟାସ ନେବାପରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଧୋନୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଧୋନୀ ନିର୍ବାଚନ ଲଢ଼ିବା ଉଚିତ | ଧୋନୀ ଏବେ ସୁଦ୍ଧା କୌଣସି ରାଜନୈତିକ ଦଳକୁ ସମର୍ଥନ କରିନାହାନ୍ତି ।

ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ରବିବାର ଦିନ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଧୋନୀଙ୍କୁ ପରାମର୍ଶ ଦେଇଛନ୍ତି । ସେ ଲେଖିଛନ୍ତି, ‘ଧୋନୀ କ୍ରିକେଟରୁ ଅବସର ନେଉଛନ୍ତି । କିନ୍ତୁ ଅନ୍ୟ କୌଣସିଥିରୁ ସେ ଅବସର ନେଉନାହାନ୍ତି । ଚ୍ୟାଲେଞ୍ଜ ସହ ଲଢ଼ିବା ପ୍ରତିଭା ଓ ଏକ ଟିମର ନେତୃତ୍ୱ ନେବାର କ୍ଷମତା ଥିବା ସେ କ୍ରିକେଟରେ ଦେଖାଇଛନ୍ତି । ଏହି କ୍ଷମତା ସାର୍ବଜନିକ ଜୀବନରେ ଆବଶ୍ୟକ । ସେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ଉଚିତ ।’