Odia News Portal

ପୁଣି ହାରିଲା ବେଙ୍ଗାଲୁରୁ : ୫ ୱିକେଟରେ କୋଲକାତାର ରୋମାଂଚକର ବିଜୟ

ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଦ୍ୱାଦଶ ସଂସ୍କରଣର ୧୭ତମ ମ୍ୟାଚରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପୁଣି ଥରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ବିରାଟ କୋହଲିଙ୍କ ଟିମ ବିଜୟୀ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ କୋଲକାତା ନାଇଟ ରାଇଡର୍ସର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ୫ ୱିକେଟରେ ହାରିବାକୁ ପଡ଼ିଛି । ଚଳିତ ଆଇପିଏଲରେ ବିରାଟଙ୍କ ଏହା ହେଉଛି ୫ମ ପରାଜୟ । ଟସ ଜଣି କୋଲକାତା ବୋଲିଂ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା ।

ପ୍ରଥମ ଇନିଂସରେ ଅଧିନାୟକ ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ୨୦୫ ରନ କରିଥିଲା । ଫଳରେ କୋଲକାତାକୁ ୨୦୬ ରନ ଟାର୍ଗେଟ ମିଳିଥିଲା ।

କୋଲକାତା ୨୮ ରନରେ ପ୍ରଥମ ୱିକେଟ ଭାବରେ ସୁନିଲ ନାରାୟଣଙ୍କୁ ହରାଇଥିଲା । ସେହିପରି ବେଙ୍ଗାଲୁରୁର ୨ୟ ଶିକାର ହୋଇଥିଲେ ରବିନ ଉଥାପା । ସେତେବେଳକୁ ସ୍କୋର ୯୩ ରନ ଥିଲା । ୧୧.୩ ଓଭରରେ ଦଳୀୟ ସ୍କୋର ୧୦୮ ରନ ଥିବା ବେଳେ କ୍ରିସ ଲିନ ଆଉଟ ହୋଇ ପାଭଲିଅନ ଫେରି ଆସିଥିଲେ । ସ୍କୋର ୧୩୯ ରନରେ ନୀତିଶ ରାଣା ଆଉଟ ହୋଇଥିବା ବେଳେ ୧୫୩ ରନରେ ଦିନେଶ କାର୍ତ୍ତି କ ଆଉଟ ହୋଇଥିଲେ । କାର୍ତ୍ତିକ ଆଉଟ ହେବା ପରେ କୋଲକାତାକୁ ୧୭ ବଲରେ ୫୩ ରନ ଦରକାର ଥିଲା । କୋଲକାତା ୧୩ଟି ବଲରେ ଏହି ରନ ହାସଲ କରିଥିଲା ।

ଆନ୍ଦ୍ରେ ରସଲ ଅପରାଜିତ ୪୮ ରନ ବେଙ୍ଗାଲୁରୁର ବିଜୟ ସ୍ୱପ୍ନକୁ ଚୁରମାର କରି ଦେଇଥିଲା । ରସଲ ମାତ୍ର ୧୩ଟି ବଲ ଖେଳି ଗୋଟିଏ ଚୌକା ଏବଂ ୭ଟି ଛକା ପ୍ରହାର କରିଥିଲେ । ସେହିପରି ଶୁଭମନ ଗିଲ ୩ଟି ବଲ ଖେଳି ଅପରାଜିତ ୩ ରନ କରି ପାଭଲିଅନ ଫେରିଥିଲେ । ବେଙ୍ଗାଲୁରୁର ନଭଦୀପ ସାଇନି ଓ ପୱନ ନେଗୀ ୨-୨ ୱିକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ ନେଇଥିଲେ ।