ମୁମ୍ବାଇ : ଏକ ଟେଲିଭିଜନ ସୋରେ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ ରାହୁଲଙ୍କ ବିରୋଧରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ। ମହିଳାଙ୍କ ବିରୋଧରେ ଅରୁଚିକର ବୟାନ ପାଇଁ ବିସିସିଆଇ ଓମ୍ବୁଡସମ୍ୟାନ ଡି କେ ଜୈନ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ ରାହୁଲ ପ୍ରତି ଖେଳାଳିଙ୍କୁ ୨୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଦେଶମାତୃକାରେ ସେବାରେ ସହିଦ ହୋଇଥିବା ୧୦ ଜଣ ଅର୍ଦ୍ଧସାମରିକ ବଳର ଯବାନଙ୍କ ପତ୍ନୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଟଙ୍କା ଦେବାକୁ କହିଛନ୍ତି। ଅନ୍ଧମାନଙ୍କ କ୍ରିକେଟର ପ୍ରଚାର ପ୍ରସାର ପାଇଁ ୧୦ ଲକ୍ଷ ଟଙ୍କା ଜମା କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।
ନିର୍ଦେଶର ୪ ସପ୍ତାହ ଭିତରେ ଯଦି ଦୁଇ କ୍ରିକେଟର ଜରିମାନା ପଇଠ ନ କରନ୍ତି ତେବେ ବିସିସିଆଇ ସେମାନଙ୍କର ମ୍ୟାଚ ଫିରୁ ଅର୍ଥ କାଟି ନେବ। ଏହି ୨ ଖେଳାଳୀଙ୍କୁ ଅଷ୍ଟ୍ରେଲିଆ ଭାରତକୁ ପଠାଇ ଦିଆଯାଇଥିଲା । ଯେଉଁଥିପାଇଁ ଏମାନେ ୩୦ ଲକ୍ଷ ଟଙ୍କା ଆୟ କରିବାରୁ ବଂଚିତ ରହିଗଲେ ।ଖେଳାଳୀମାନେ ଦେଶର ସମ୍ମାନ । ସେମାନଙ୍କୁ ନିଜ ପଦ ଏବଂ ବ୍ୟବହାରର ମର୍ଯ୍ୟାଦା ରଖିବା ଉଚିତ ବୋଲି କହିଛନ୍ତି ବିସିସିଆଇ । ଉଭୟ ଖେଳାଳୀ ନିଜ ବ୍ୟବହାର ଏବଂ ମନ୍ତବ୍ୟ ପାଇଁ ପୂର୍ବରୁ ମଧ୍ୟ କ୍ଷମା ମାଗିଥିଲେ ଏବଂ ତାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିନଥିଲେ । ତେଣୁ ଏହି ମାମଲାରେ ପୁଣିଥରେ ଯାଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିସିସିଆଇ ।
ସୂଚନାଯୋଗ୍ୟ ଯେ, ଟିଭି ୩ ଶୋ’ କଫି ଉଇଥ କରନ ରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଯୋଗୁଁ ପ୍ରଶାସକ କମିଟି ଉଭୟ ପାଣ୍ଡ୍ୟା ଏବଂ ରାହୁଲଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରିଥିଲେ ।