ବେଙ୍ଗାଲୁରୁ : ଆଇପିଏଲ୍ର ୩୯ତମ ମ୍ୟାଚ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧ ରନ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପରାସ୍ତ କରିଛି। ଉଭୟ ଦଳ ନିଜ ନିଜର ୧୦ମ ମ୍ୟାଚ୍ ଖେଳିଥିବାବେଳେ କୋହଲି ତୃତୀୟ ବିଜୟ ଏବଂ ଧୋନି ତୃତୀୟ ପରାଜୟ ବରଣ କରିଥିଲେ। ଆରସିବିର ୧୬୧ ରନ୍ ଜବାବରେ ମହେନ୍ଦ୍ର ସିଂହ ଧୋନିଙ୍କ ବିସ୍ଫୋରକ ପାଳି ସତ୍ତ୍ବେ ୧୬୦/୮ରେ ସୀମିତ ରହିଯାଇଥିଲା। ଶେଷ ଓଭରରୁ ୨୪ ରନ୍ ଆଦାୟ କରିବା ସତ୍ତ୍ବେ ଚେନ୍ନାଇ ବିଜୟ ପାଇ ପାରିନଥିଲା। ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଧୋନି ବାହିନୀ କୋହଲିଙ୍କ ଆରସିବି ଦଳକୁ ୧୬୧/୧ରେ ସୀମିତ ରଖିଥିଲା। ବିରାଟ କୋହଲି (୯) ଶିଘ୍ର ଆଉଟ୍ ହୋଇଯିବା ପରେ ପାର୍ଥିବ ପଟେଲ ଅର୍ଧଶତକ କରିଥିଲେ। ମଧ୍ୟକ୍ରମରେ ଏବି ଡି’ଭିଲିୟର୍ସ (୨୫, ୧୯ ବଲ୍), ଅକ୍ଷଦୀପ ନାଥ (୨୪, ୨୦ ବଲ), ମୋଇନ୍ ଅଲୀ (୨୬, ୧୬ ବଲ୍) ଭଲ ଅବଦାନ ଦେଇଥିଲେ। ଚେନ୍ନାଇ ବୋଲର କିନ୍ତୁ ଚମତ୍କାର ପ୍ରତ୍ୟାବର୍ତନ କରି ନିୟମିତ ବ୍ୟବଧାନରେ ୱିକେଟ୍ ଦଖଲ କରିବାରୁ ଆରସିବି ବଡ଼ ସ୍କୋର୍ କରିପାରିନଥିଲା। ଦୀପକ ଚହର, ଡ୍ବାନ୍ ବ୍ରାଭୋ ଏବଂ ରବୀନ୍ଦ୍ର ଜାଦେଜା ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଚେନ୍ନାଇ ସୁପର୍ କିଙ୍ଗ୍ସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାୱାର ପ୍ଲେ ୬ ଓଭର ଭିତରେ ଦଳ ୩୨ ରନ୍ରେ ୪ ୱିକେଟ୍ ହରାଇ ଦେଇଥିଲା। ସେନ୍ ୱାଟସନ୍ (୫), ଫାପ୍ ଡୁ ପ୍ଲେସିସ୍ (୫), ସୁରେଶ ରାଇନା (୦), କେଦାର ଯାଦବ (୯) ନିରାଶ କରିଥିଲେ। ୱାଟସନ୍ ଓ ରାଇନାଙ୍କୁ ଡେଲ୍ ଷ୍ଟେନ୍ ଏବଂ ଡୁ ପ୍ଲେସିସ୍ ଓ କେଦାରଙ୍କୁ ଉମେଶ ଯାଦବ ଆଉଟ୍ କରି ଏହି ବିପର୍ଯ୍ୟୟ ଘଟାଇଥିଲେ। ଜମି ଆସିଥିବା ଅମ୍ବାତି ରାୟୁଡୁଙ୍କୁ ୟୁଜବେନ୍ଦ୍ର ଚହଲ ପ୍ୟାଭିଲିଅନ୍ ରାସ୍ତା ଦେଖାଇଥିଲେ। ମହେନ୍ଦ୍ର ସିଂ ଧୋନି କିନ୍ତୁ ଏକା ଏକା ଲଢ଼ି ୩୫ ବଲରୁ ଅର୍ଧଶତକ ପୂର୍ଣ୍ଣ କରିବା ପରେ ଦଳକୁ ଆଶା ଦେଇଥିଲେ। ଶେଷ ଓଭରରୁ ୨୬ ରନ୍ ଆବଶ୍ୟକ ପଡ଼ିଥିଲା। ଉମେଶ ଯାଦବଙ୍କ ପ୍ରଥମ ୫ବଲରୁ ଧୋନି ୨୪ ରନ୍ ଆଦାୟ କରିଥିଲେ ମଧ୍ୟ ଶେଷ ବଲ୍ ମିସ୍ କରିବା ଏବଂ ସାର୍ଦୁଲ ଠାକୁର ରନ୍ ଆଉଟ୍ ହୋଇଯିବାରୁ ବାଙ୍ଗାଲୋର୍ ୧ ରନ୍ରେ ରୋମାଞ୍ଚକ ବିଜୟ ଛଡ଼ାଇ ନେଇଥିଲା। ପାର୍ଥିବ ପଟେଲଙ୍କ ସିଧା ଥ୍ରୋରେ ସାର୍ଦୁଲ ଠାକୁର ରନ୍ ଆଉଟ୍ ହୋଇଯାଇଥିଲେ। ପାର୍ଥିବ ପଟେଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।