Odia News Portal

ଚେନ୍ନାଇ ସୁପର କିଙ୍ଗସ ୮୦ ରନରେ ବିଜୟୀ

ଚେନ୍ନାଇ : ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ୱିକେଟ ଆଗରେ ଏବଂ ୱିକେଟ ପଛରେ ଜବରଦସ୍ତ ପ୍ରଦର୍ଶନ ଏବଂ ଇମରାନ ତାହିରଙ୍କ ନେତୃତ୍ୱରେ ସ୍ପିନରଙ୍କ ପ୍ରଶଂସନୀୟ ବୋଲିଂ ବଳରେ ଚେନ୍ନାଇ ସୁପର କିଙ୍ଗସ ବୁଧବାର ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୦ ରନରେ ପରାସ୍ତ କରି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଅଙ୍କ ତାଲିକାରେ ପୁଣି ଥରେ ଶୀର୍ଷ ସ୍ଥାନରେ ପହଂଚିଛି । ଟସ ଜିଣି ଦିଲ୍ଲୀ ବୋଲିଂ ନିଷ୍ପତ୍ତି ନେବା ପରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ସ୍କୋର ୪ ୱିକେଟରେ ୧୭୯ ରନ୍ କରିଥିଲା ଏବଂ ଏହାର ଜବାବରେ ଦିଲ୍ଲୀକୁ ୧୬.୨ ଓଭରରେ ୯୯ ରନରେ ଅଟକାଇ ଦେଇଥିଲା ।

ଚେନ୍ନାଇ ତରଫରୁ ସୁରେଶ ରାଇନା ୩୭ ବଲ ଖେଳି ୫୯ ରନ କରିଥିଲେ ଏବଂ ଫାଫ ଡୁପ୍ଲେସିସ (୪୧ ବଲରେ ୩୯ ରନ) ସହିତ ଦ୍ୱିତୀୟ ୱିକେଟ ପାଇଁ ୮୩ ରନ ଭାଗିଦାରୀ ହୋଇଥିଲେ । ମାତ୍ର ମ୍ୟାଚରେ ଧୋନୀଙ୍କୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଭାବେ ଦେଖିବାକୁ ମିଳିଥିଲା । ସେ ଅପରାଜିତ ୪୪ ରନ କରି ଟିମକୁ ଏକ ମଜବୁତ ସ୍ଥିତିରେ ପହଂଚାଇଥିଲେ । ରବୀନ୍ଦ୍ର ଜାଦେଜା ୧୦ଟି ବଲ ଖେଳି ୨୫ ରନ ଯୋଗଦାନ ଦେଇଥିଲେ । ଚେନ୍ନାଇ ଅନ୍ତିମ ୬ ଓଭରରେ ୯୧ ରନ ସଂଗ୍ରହ କରିଥିଲା ।

ଚେନ୍ନାଇର ଜବାବରେ ବିପରୀତ ଦିଲ୍ଲୀ ଟିମ ପକ୍ଷରୁ କେବଳ ଅଧିନାୟକ ଶ୍ରେୟସ ଆୟାର (୩୧ ବଲରେ ୪୪ ରନ) ଓ ଶିଖର ଧାୱନଙ୍କ ୧୩ ବଲରୁ ୧୯ ରନ କରିଥିଲେ । ଚେନ୍ନାଇ ପାଇଁ ବାମହାତୀ ସ୍ପିନର ତାହିର ୧୨ ରନ ଦେଇ ୪ ୱିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା ୯ ରନ ଦେଇ ୩ ୱିକେଟ ନେଇଥିଲେ । ଅଫ ସ୍ପିନର ହରଭଜନ ସିଂହ ଏବଂ ଦ୍ରୁତ ବୋଲର ଦିପକ ଚହରଙ୍କୁ ୧-୧ ୱିକେଟ ମିଳିଥିଲା । ଧୋନୀ ଗୋଟିଏ କ୍ୟାଚ ଏବଂ ୨ଟି ଷ୍ଟମ୍ପିଂ କରିଥିଲେ ।

ଚେନ୍ନାଇର ଏହା ହେଉଛି ୧୩ଟି ମ୍ୟାଚରୁ ୯ଟି ବିଜୟ ଏବଂ ୧୮ ଅଙ୍କ ସହିତ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର । ଅପରପକ୍ଷେ ଦିଲ୍ଲୀ ୧୩ଟି ମ୍ୟାଚ ଖେଳି ୫ଟିରେ ପରାଜୟ କରିବା ପରେ ୧୬ ପଏଣ୍ଟ ପାଇଁ ତାଲିକାରେ ୨ୟ ସ୍ଥାନକୁ ଖସିଛି ।