ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ଯୋଗୁଁ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ ଚାହୁଁଛନ୍ତି । କିନ୍ତୁ କଂଗ୍ରେସ କାର୍ଯ୍ୟ ସମିତି ବୈଠକରେ ଏହାକୁ ଅସ୍ୱୀକାର କରିଦିଆଯାଇଛି । କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜେବାଲା ରାହୁଲ ଗାନ୍ଧିଙ୍କ ତରଫରୁ ଇସ୍ତଫା ଖବରକୁ ଖାରଜ କରିଛନ୍ତି । ସେ ଏହି ଖବରକୁ ଭୁଲ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ଦେଶରେ କଂଗ୍ରେସର ଖରାପ ପ୍ରଦର୍ଶନ କାରଣ ଯୋଗୁଁ ମନ୍ତ୍ରଣା ପାଇଁ କଂଗ୍ରେସ କାର୍ଯ୍ୟକାରୀ ସମିତିର ଆଜି ବୈଠକ ବସିଛି । ବୈଠକରେ କଂଗ୍ରେସ ସମ୍ନାରେ ସବୁଠାରୁ ବଡ ଚେତାବନୀ ହେଲା, କର୍ଣାଟକ ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟରେ ନିଜ ସରକାରକୁ ବଞ୍ଚାଇ ରଖିବା । ଏହି ରାଜ୍ୟମାନଙ୍କରେ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି । ସୂତ୍ର ଅନୁଯାୟୀ, କଂଗ୍ରେସର କାର୍ଯ୍ୟକାରୀ ସମିତି ବୈଠକରେ ହରିୟାଣା, ଝାରଖଣ୍ଡ, ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ । ସିଡବ୍ଲୁସିର ୨୩ ସଦସ୍ୟଙ୍କ ମଧ୍ୟରୁ ଚଳିତ ନିର୍ବାଚନରେ କେବଳ ୪ଜଣ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ଗୌରବ ଗୋଗୋଇ ଓ ଏ.ଚେଲ୍ଲା ଜିତିଛନ୍ତି । ଲୋକସଭା ନିର୍ବାଚନରେ ହାରିଥିବା ଅନ୍ୟ ୧୨ ଜଣ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ନେତା ମଲିକାର୍ଜୁନ ଖଡଗେ, ହରିଶ ରାୱତ, ଶୀଲା ଦିକ୍ଷିତ, ମୀରା କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରଘୁବୀର ସିଂହ ମୀନା, ଜିତିନ ପର୍ସାଦ, ଦିପେନ୍ଦର ହୁଡ୍ଡା, ସୁଷ୍ମିତା ଦେବ, କେ.ଏଚ. ମୁନିୟପ୍ପା ଏବଂ ଅରୁଣ ୟାଦବ ।