ନୂଆଦିଲ୍ଲୀ : ଦିଲ୍ଲୀରେ ହେଲ୍ଥ ଇମରଜେନ୍ସି । ଅଣନିଶ୍ବାସୀ ହୋଇପଡ଼ିଛି ଦେଶର ରାଜଧାନୀ । ପ୍ରଦୂଷଣ ସାଂଘାତିକସ୍ତରରେ ପହଞ୍ଚିସାରିଥିବା ବେଳେ, ଧୂଆଁର ଚାଦର ଢାଙ୍କି ଦେଇଛି ଦିଲ୍ଲୀ ଆକାଶକୁ । ଆନନ୍ଦ ବିହାର, ଆଇ.ଟି.ଓ, ଜାହାଙ୍ଗିରପୁରୀ, ଦ୍ବାରିକା, ଲୋଧି ରୋଡ୍ ରେ ସ୍ଥିତି ଘରବୁଡ଼ି ପାଣି ଆଣ୍ଠୁଏ ।
ଗତକାଲିଠାରୁ ଆଜି ସ୍ଥିତି ଆହୁରି ବିଗିଡ଼ିଯାଇଛି । ସେଣ୍ଟ୍ରାଲ୍ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ଅନୁଯାୟୀ ଦିଲ୍ଲୀର ହାରାହାରି ଏୟାର କ୍ବାଲିଟି ଇଣ୍ଡେକ୍ସ ଥିଲା ୪୮୦ । ଗାଜିୟାବାଦରେ ୪୬୮ ଏବଂ ନୋଏଡାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫୭୮ ଛୁଇଁଛି । ସେହିପରି ଗୁରଗ୍ରାମରେ ୫୮୫ ଓ ହିସାରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୮୦୨ ରହିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୦ ଭିତରେ ରହିଲେ ଏହାକୁ ଅତ୍ୟନ୍ତ ଭଲ ବୋଲି ବିଚାର କରାଯାଏ । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି।
ଏସବୁ ଭିତରେ ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟୁଛନ୍ତି ଦିଲ୍ଲୀ ସରକାର । ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲରେ ଛୁଟି ଘୋଷଣା କରାଯାଇଛି । ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧୀକରଣ ନଭେମ୍ବର ୫ ଯାଏଁ ଦିଲ୍ଲୀ ଏନ୍.ସି.ଆର୍.ରେ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । ପ୍ରଭାବିତ ଇଲାକାରେ ପାଣି ଛିଞ୍ଚିବା ପାଇଁ ବ୍ୟବସ୍ଥା କରାଯାଉଛି । ଶନିବାର ପବନର ଗତିରେ ସାମାନ୍ୟ ବୃଦ୍ଧି ହୋଇଥିବାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୁଷଣ ମାତ୍ରା ସାମାନ୍ୟ କମିଥିଲା ।
