ଭୁବନେଶ୍ୱର : ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ମାତ୍ ଦେଇ ତୃତୀୟଥର ପାଇଁ କ୍ଷମତାକୁ ଆସିବାପରେ ତାଙ୍କ ବିଜୟ ପଛର ରଣନୀତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କେଜ୍ରିୱାଲଙ୍କ ଏଭଳି ରଣନୀତି ବିଜେଡି ଶୈଳୀରେ ପ୍ରସ୍ତୁତ ହୋଇଥିବା ଅନେକ ରାଜନୀତି ବିଶ୍ଲେଷକ ମତ ଦେଉଛନ୍ତି । ଯେଉଁ ଫର୍ମୁଲା ପ୍ରୟୋଗ କରି ଓଡିଶାରେ ନବୀନ ପଟ୍ଟନାୟକ ବିଜେପିକୁ କ୍ଷମତା ବାହାରର ରାସ୍ତା ଦେଖାଇଲେ ଅରବିନ୍ଦ ସେହି ଫର୍ମୁଲାରେ ଯାଇ ସଫଳ ହେଲେ । ଉଭୟ ସ୍ଥାନରେ ବିଜେପିର ପୋଡା ଟ୍ରାନ୍ସଫର୍ମର ଓ ଗୋଲିମାର ଫର୍ମୁଲା ଅକାମୀ ହୋଇଗଲା ।
ଓଡିଶାରେ କ୍ଷମତା ହାତେଇବାପାଇଁ ବିଜେପି ସବୁ ପ୍ରକାର ଉଦ୍ୟମ ଚଳାଇଥିଲା । ମୋଦି-ଶାହା ଯୋଡିଙ୍କ ସମେତ ଅନ୍ୟ ବିଜେପି ନେତାମାନେ ଘନ ଘନ ଓଡିଶା ଗସ୍ତକରି ନବୀନଙ୍କ କୁତ୍ସାରଟନା କଲେ । ଦଳ ସଭାପତି ଥିବା ଅମିତ ଶାହା ନବୀନଙ୍କୁ ପୋଡା ଟ୍ରାନ୍ସଫର୍ମର କହିବା ସହିତ ବଙ୍ଗୋପସାଗରକୁ ଫିଙ୍ଗିଦେବାକୁ କର୍ମୀଙ୍କୁ ଆହ୍ୱାନ ଦେଲେ । ସେହିଭଳି ତାଙ୍କୁ ଅନୁକରଣ କରି ବିଜେପି ନେତା ଓ କର୍ମୀମାନେ ଯା ଇଛା ତାହା କହିଲେ । ହେଲେ ନବୀନ ନିର୍ବିକାର ଭାବେ ସେହି କଥାକୁ ଗୁରୁତ୍ୱ ଦେଲେ ନାହିଁ । ବିଜେଡି ବିକାଶର କଥା କହିଲା । ଗତ ୨୦ବର୍ଷ ଭିତରେ ଓଡିଶାରେ ଦଳ କ’ଣ କ’ଣ କରିଛି ତାହା ଲୋକଙ୍କ ଆଗରେ ରଖିଲା । ଫଳ ଏଇଆ ହେଲା ଯେ କ୍ଷମତାକୁ ଆସିବାକୁ ସ୍ୱପ୍ନ ଦେଖୁଥିବା ବିଜେପିକୁ ଲୋକେ ଅତି କଷ୍ଠରେ ୨୬ଟି ଆସନ ଦେଲେ । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜାତୀୟ ଦଳର ପୋଡା ଟ୍ରାନ୍ସଫର୍ମର ଶବ୍ଦ ପ୍ରୟୋଗକୁ ଲୋକେ ଗ୍ରହଣ କଲେନାହିଁ ।
ସେହିଭଳି ନିକଟରେ ଅନୁଷ୍ଠିତ ଦିଲ୍ଲୀ ନିର୍ବାଚନରେ କେଜ୍ରିୱାଲଙ୍କ ବିରୁଦ୍ଧରେ ମୋଦି-ଶାହା ଯୋଗଡି ଗର୍ଜନ ତର୍ଜନ କଲେ । ଶାହା ତ ଖୋଲା ସଭାରେ ଗୋଲିମାର ଭଳି ଭୟଙ୍କର ଶବ୍ଦ ପ୍ରୟୋଗ କଲେ । ହେଳେ ଅରବିନ୍ଦ ନବୀନଙ୍କ ଷ୍ଟାଇଲରେ ଅତ୍ୟନ୍ତ ଶାନ୍ତ ମୁଦ୍ରାରେ ସେଥିପ୍ରତି ଗୁରୁତ୍ୱ ଦେଲେନାହିଁ । ଦିଲ୍ଲୀରେ ସେ କରିଥିବା ବିକାଶର କଥା ଲୋକଙ୍କ ଆଗରେ ରଖିଲେ । ତାଙ୍କ ସରକାର ଗତ ୫ବର୍ଷରେ କରିଥିବା କାମ ସଂକ୍ରାନ୍ତରେ ଲୋକଙ୍କୁ କହିବା ଯୋଗୁଁ ଲୋକେ ବିଜେପି ନେତାଙ୍କ ଆକ୍ରମଣାତ୍ମକ କଥାକୁ ଗ୍ରହଣ କରିବା ପରିବର୍ତ୍ତେ ବିରୋଧ କରିବାକୁ ଲାଗିଲେ । ଫଳରେ ଅରବିନ୍ଦ ପୁଣିଥରେ ବହୁମତ ସହିତ କ୍ଷମତାକୁ ଫେରିଛନ୍ତି ।
ଓଡିଶା ଓ ଦିଲ୍ଲୀ ନିର୍ବାଚନରେ ବିଜେପିକୁ ପରାହତ ପାଇଁ ହୋଇଥିବା ରଣନୀତି ଗୋଟିଏ ପ୍ରକାରର ହେବାପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଦିଲ୍ଲୀ ନିର୍ବାଚନ ପଛରେ ନିର୍ବାଚନ ଗଣିତ କଷୁଥିବା ପ୍ରଶାନ୍ତ କିଶୋରଙ୍କ ନାମ ଉଠୁଥିବାବେଳେ ଓଡିଶାରେ କିନ୍ତୁ କଥା ଭିନ୍ନ । ଏଠାରେ କୌଣସି ରାଜନେତା ନୁହେଁ ବରଂ ବିଜେଡିର ଏହି ସଫଳତା ପଛରେ ନବୀନଙ୍କ ପଛକୁ ଯିବ କାହାକୁ ଶ୍ରେୟ ଦିଆଯିବ ତେବେ ସେମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବା ବରିଷ୍ଠ ଅଧିକାରୀମାନେ । ଏହି ଅଧିକାରୀମାନେ ରାଜନୀତିରୁ ଦୂରେଇ ରହିଥିଲେ ବି ଓଡିଶାର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତେବେ ସିଏ ଯାହା ହେଲେ ବି ଦିଲ୍ଲୀ ନିର୍ବାଚନ ପରେ ପୁଣିଥରେ ଓଡିଶା ନିର୍ବାଚନ ଓ ନବୀନଙ୍କ ରଣନୀତିକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।