ସିବିଆଇରେ ଜାରି ବିବାଦ ଏବେ ମଧ୍ୟ ଥମିବାର ନାଁ ନେଉନାହିଁ। ପିଏମ ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସଂପନ୍ନ ଚୟନ କମିଟି ପକ୍ଷରୁ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ହଟାଯିବା ପରେ ଏବେ ଅନ୍ତରୀଣ ମୁଖ୍ୟ ଏମ.ନାଗେଶ୍ଵର ରାଓଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରାଯାଇଛି। ଏନଜିଓ କମନ କଜ ବରିଷ୍ଠ ଆଡ଼ଭୋକେଟ୍ ପ୍ରଶାନ୍ତ ଭୂଷଣ ଜରିଆରେ ନାଗେଶ୍ଵର ରାଓଙ୍କୁ ସିବିଆଇର ଅନ୍ତରୀଣ ମୁଖିଆ କରାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି।
ଆଲୋକ ବର୍ମାଙ୍କୁ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ହଟାଯିବା ପରେ ନାଗେଶ୍ଵର ରାଓଙ୍କୁ ଅନ୍ତରୀଣ ମୁଖ୍ୟ ଦାୟିତ୍ଵ ଦିଆଯାଇଥିଲା। ଜାନୁଆରୀ ୧୦ରେ ବର୍ମାଙ୍କୁ ହଟାଯିବା ନିଷ୍ପତ୍ତି ପରେ ତାଙ୍କୁ ଅଗ୍ନିଶମ, ସୁରକ୍ଷା ଓ ଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଥିଲା। ମାତ୍ର ସେ ଏହି ଦାୟିତ୍ଵ ସମ୍ଭାଳିବାକୁ ମନା କରିବା ସହିତ ଆଇପିଏସ ସେବାରୁ ଇସ୍ତଫା ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଅନ୍ତରୀଣ ମୁଖିଆ କରାଯିବା ପରେ ନାଗେଶ୍ଵର ରାଓ ତତ୍କାଳ ଆଲୋକ ବର୍ମା ନେଇଥିବା ନିଷ୍ପତ୍ତି ଏବଂ ଆଦେଶକୁ ଓଲଟାଇ ଦେଇଥିଲେ। ଉଚ୍ଚସ୍ତରୀୟ କମିଟିରେ ପିଏମ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟର ଜଷ୍ଟିସ ଏକେ ସିକରୀ ଓ ମଲ୍କିକାର୍ଜୁନ ଖଡ଼ଗେ ଥିଲେ। ବର୍ମାଙ୍କୁ ସିବିଆଇ ମୁଖ୍ୟରୁ ହଟାଇବା ନିଷ୍ପତ୍ତିକୁ ମଲ୍ଲିକାର୍ଜୁନ ଖଡଗେ ବିରୋଧ କରିଥିଲେ, ମାତ୍ର ପିଏମ ନରେନ୍ଦ୍ର ମୋଦୀ ଓ ଜଷ୍ଟିସ ଏକ ସିକରୀ ରାୟଙ୍କୁ ହଟାଇବା ସପକ୍ଷରେ ମତ ଦେଇଥିଲେ। ଫଳରେ ୨-୧ରେ ବର୍ମାଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା।
