ଆଡିଲେଡ୍ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଶତକ ନମ୍ବର ୩୯ । ଆଉ ଦ୍ୱିତୀୟ ଦିନିକିଆକୁ ଜିତିଗଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍ରେ ହରାଇ ତିନି ମ୍ୟାଚ୍ ସିରିଜ୍ରେ ୧-୧ ସ୍ଥିତିକୁ ଆସିଛି ଭାରତୀୟ ଦଳ ।
୨୯୯ ରନ୍ର ପିଛା କରିଥିବା ଭାରତ ପ୍ରଥମେ ଦୁଇ ଓପ୍ନରଙ୍କ ଠାରୁ ଏକ ଭଲ ମୂଳଦୁଆ ପାଇଥିଲା । ରୋହିତ ଶର୍ମା (୪୩) ଓ ଶିଖର ଧବନ (୩୨) କରିବା ସହ ମାତ୍ର ୮ ଓଭର ଭିତରେ ପ୍ରଥମ ଓ୍ଵିକେଟ୍ରେ ୪୭ ରନ୍ ଯୋଡ଼ିଥିଲେ । ଧବନ୍ ଆଉଟ୍ ହେବା ପରେ କୋହଲି ନିଜ କାନ୍ଧରେ ନେଇଥିଲେ ପୂରା ଭାର । ପ୍ରଥମେ ରାୟୁଡୁ (୨୪) ଏବଂ ପରେ ଧୋନିଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ୨୪୨ ରନ୍ରେ ପହଞ୍ଚାଇବା ପରେ ଆଉଟ୍ ହୋଇଥିଲେ । ରୋହିତ, ରାୟୁଡୁ ଓ ଧୋନିଙ୍କ ସହିତ ସେ ତିନିଟି ଅର୍ଦ୍ଧଶତକ ଭାଗିଦାରୀ କରିଥିଲେ । ଯାହା ଦଳର ବିଜୟ ପାଇଁ ଖୁବ୍ ଉପଯୋଗୀ ହୋଇଥିଲା ।
ଏହାପରେ ଧୋନି ଓ ଦୀନେଶ କାର୍ତ୍ତିକ ପଞ୍ଚମ ଓ୍ଵିକେଟ୍ରେ ୫୭ ରନ୍ ସଂଗ୍ରହ କରିଥିଲେ ।
ରନ୍ ସଂଗ୍ରହ କରି ଦଳକୁ ଜିତାଇ ଦେଇଥିଲେ । ସେମାନେ ଅଯଥାରେ ଆକ୍ରମଣାତ୍ମକ ବ୍ୟାଟିଂ ନକରି ସିଙ୍ଗଲ ଓ ଡବଲ୍ ରନ୍ ନେଇ ଟିମ୍କୁ ଲକ୍ଷ୍ୟରେ ପହଞ୍ଚାଇ ଦେଇଥିଲେ । ଶେଷ ଓଭରରେ ଜିତିବା ପାଇଁ ୭ ରନ୍ ଦରକାର ହେଉଥିଲା । ଧୋନି ଶେଷ ଓଭର୍ର ପ୍ରଥମ ବଲ୍ରେ ଛକା ଓ ଦ୍ୱିତୀୟ ବଲ୍ରେ ଗୋଟିଏ ରନ୍ ଦଳକୁ ଜିତାଇଥିଲେ । ଧୋନି ୫୬ ଏବଂ କାର୍ତ୍ତିକ ୨୫ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ମ୍ୟାଚ୍ ଫିନିସର୍ ଧୋନିଙ୍କର ଏହା ହେଉଛି ୬୮ତମ ଦିନିକିଆ ଅର୍ଦ୍ଧଶତକ । ସେ ୫୪ ବଲ୍ ଖେଳି ୨ଟି ଛକା ମାରିଥିଲେ ।
