ନୂଆଦିଲ୍ଲୀ : ବିଜେପି ସଭାପତି ଅମିତ ଶାହ ସ୍ବାଇନ୍ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଜି ରାତିରେ ତାଙ୍କୁ ଦିଲ୍ଲୀ ଏମସ୍ ରେ ଭର୍ତି କରାଯାଇଛି। ତାଙ୍କର ଚିକିତ୍ସା ଲାଗି ଏମ୍ସ ଡାଇରେକଟର ରଣଦୀପ ଗୁଲେରିଆଙ୍କ ନେତୃତ୍ବେର ଏକ ଡାକ୍ତରୀ ଦଳ ଗଠିତ ହୋଇଛି। ମେଡିକାଲ ସୂତ୍ରରୁ ପ୍ରକାଶ ଯେ ଛାତିରେ ଯନ୍ତ୍ରଣା ଏବଂ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଅମିତଙ୍କୁ ଆଜି ରାତି ୯ଟାରେ ମେଡିକାଲରେ ଭର୍ତି କରାଯାଇଛି। ଅମିତ ଶାହ ଟୁଇଟ୍ କରି ଜଣାଇଛନ୍ତି, ‘ମୋତେ ସ୍ବାଇନ୍ ଫ୍ଲୁ ହୋଇଛି। ଭଗବାନଙ୍କ ଆର୍ଶୀବାଦ ଏବଂ ଆପଣମାନଙ୍କ ସଦିଚ୍ଛା ମୋ ସହିତ ରହିଛି। ମୁଁ ଖୁବ ଶୀଘ୍ର ଆରୋଗ୍ୟ ଲାଭ କରିବି।’ ଆସନ୍ତା ୧୮ ତାରିଖରେ କଟକ ପାଣିକୋଇଲିରେ ହେବାକୁ ଥିବା ବିଜେପି ସମାବେଶକୁ ବାତିଲ କରି ଦିଆଯାଇଛି। ଏହି ସମାବେଶରେ ଅମିତ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ଭୁବେନଶ୍ବରରେ ରାଜ୍ୟ ବିଜେପି ନେତାମାନେ ଆଜି ରାତିରେ ଏହି ସୂଚନା ଦେଇଛନ୍ତି। ଇତିମଧ୍ୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚା ଆରମ୍ଭ ହୋଇଯାଇଛି। ଗତବର୍ଷ କିଡନୀ ପ୍ରତିରୋପଣ କରିଥିବା ଜେଟ୍ଟଲୀ ଅଧିକ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ଦୁଇ ସପ୍ତାହରେ ସେ ସ୍ବଦେଶ ପ୍ରତ୍ୟାବର୍ତନ କରିବେ ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କର ଫେରିବା ବିଳମ୍ବିତ ହୋଇପାରେ। ‘ଦ ୱାୟର’ ନାମକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଜେଟ୍ଟଲୀ ଏକ ଗୁରୁତର ରୋଗରେ ଆକ୍ରାନ୍ତ। ତେବେ ବିଜେପି କିମ୍ବା ତାଙ୍କ ପରିବାର ପକ୍ଷରୁ ଏସଂପର୍କରେ କିଛି କୁହାଯାଉ ନାହିଁ। ଇତିମଧ୍ୟରେ ବିଭିନ୍ନ ଦଳର ନେତାମାନେ ଟୁଇଟ୍ କରି ଜେଟ୍ଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଉଦବେଗ ପ୍ରକାଶ କରିବା ସହିତ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, କଂଗ୍ରେସ େନତା ସଲମାନ ଖୁର୍ସିଦ, ଏନସିପି ନେତା ଓମାର ଅବଦୁଲ୍ଲା ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରମୁଖ ଟୁଇଟ୍ କରି ଆରୋଗ୍ୟ କାମନା କରିଛନ୍ତି। ବିଜେପିରୁ ଏକମାତ୍ର ନେତା ଭାବେ ଶିବରାଜ ସିଂହ ଚୌହ୍ବାନ ଟୁଇଟ୍ କରି ଜେଟ୍ଟଲୀଙ୍କ ଆରୋଗ୍ୟ କାମନା କରିଛନ୍ତି।
