Odia News Portal

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ହାଇଦ୍ରାବାଦ : ପ୍ରଥମେ ବୋଲର ଏବଂ ପରେ କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନୀଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ପରାସ୍ତ କରିଛି। ଏଥି ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୧-୦ରେ ଅଗ୍ରଣୀ  ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୨୩୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୮.୨ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ମହେନ୍ଦ୍ର ସିଂହ ଧୋନୀ ଓ କେଦାର ଯାଦବ ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୧୪୧ ରନ ଯୋଡ଼ି ଦଳ ବିଜୟରେ ପ୍ରମୁଖ ଭୁମିକା ନିଭାଇଛନ୍ତି। ଯାଦବ ସର୍ବାଧିକ ୮୧ ଓ ଧୋନୀ ୫୯ ରନର ପାଳି ଖେଳିଛନ୍ତି। ମ୍ୟାଚରେ ସର୍ବାଧିକ ୮୧ ରନ ଓ ଏକ ଓ୍ଵିକେଟ୍ ନେଇଥିବା  କେଦାର ଯାଦବ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମାର୍ଚ୍ଚ ୫ରେ ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଦ୍ଵିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ।

୨୩୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତକୁ ୪ ରନରେ ଶିଖର ଧାଓ୍ଵନଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଧାଓ୍ଵନ ବିନା ଖାତା ଖୋଲି ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟରେ ୭୬ ରନ ଯୋଡ଼ି ଦଳର ବିଜୟରେ ମୂଳ ଦୁଆ ପକାଇଥିଲେ। ମାତ୍ର ୮୦ ରନ ସ୍କୋରରେ ଅଧିନାୟକ କୋହଲିଙ୍କ ରୂପେ ଭାରତକୁ ଦ୍ଵିତୀୟ ଝଟକା ଲାଗିଥିଲା। କୋହଲି ୪୫ ବଲରୁ ୬ ଚୌକା ଓ ୧ ଛକା ଜରିଆରେ ୪୪ ରନର ଉଲ୍ଲେଖନୀୟ ପାଳି ଖେଳିଥିଲେ।କୋହଲିଙ୍କ ପରେ ଭାରତ ଶୀଘ୍ର ଦୁଇଟି ଓ୍ଵିକେଟ୍ ହରାଇଥିଲା। ୯୫ ରନ ସ୍କୋରରେ ରୋହିତ ଶର୍ମା(୩୭) ଓ ୯୯ ରନରେ ଅମ୍ବତି ରାୟୁଡୁ(୧୩) ପାଭିଲିୟନ ଫେରିଥିଲେ। ଏହି ପରି ୯୯ ରନରେ ୪ ଓ୍ଵିକେଟ୍ ହରାଇ ଭାରତ ମୁସ୍କିଲ ସ୍ଥିତିରେ ପଡ଼ିଥିଲା।

ଏହା ପରେ ମହେନ୍ଦ୍ର ସିଂହ ଧୋନୀ ଓ କେଦାର ଯାଦବ ମୋର୍ଚ୍ଚା ସମ୍ଭାଳି ଦଳକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ। ଉଭୟ ନିଜର  ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୧୪୯ ବଲରୁ ୧୪୧ ରନ ଯୋଡ଼ି ଦଳକୁ ବିଜୟୀ କରାଇଥିଲେ। ଏହା ମଧ୍ୟରେ କେଦାର ଦିନିକିଆ କ୍ୟାରିୟରରେ ନିଜର ପଞ୍ଚମ ଅର୍ଦ୍ଧଶତକ ଓ ଧୋନୀ ୭୧ ତମ ଅର୍ଦ୍ଧଶତକ  ହାସଲ କରିଥିଲେ। ଦଳ ପକ୍ଷରୁ କେଦାର ଯାଦବ ସର୍ବାଧିକ  ୮୭ ବଲରୁ ୯ ଚୌକା ଓ ୧ ଛକା ଜରିଆରେ ୮୧ ରନର ପାଳି ଖେଳିଥିବା ବେଳେ ଧୋନୀ ୭୨ ବଲରୁ ୬ ଚୌକା ଓ ୧ ଛକା ଜରିଆରେ ୫୯ ରନର ମ୍ୟାଚ୍  ବିଜୟୀ ପାଳି ଖେଳିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ନାଥନ କୁଲଟର ନାଇଲ ଓ  ଆଡମ ଜମ୍ପା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆ ପାଳି

ଭାରତକୁ ୨୩୭ ରନର ବିଜୟ ଲକ୍ଷ୍ୟ ଦେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ । ୭ ୱିକେଟ ହରାଇ ୨୩୬ ରନ ସଂଗ୍ରହ କରିଛି ଅଷ୍ଟ୍ରେଲିଆ ।  ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ୱାଜା ସର୍ବାଧିକ ୫୦ ରନ କରିଥିବା ବେଳେ ଫର୍ମରେ ଥିବା ମେକ୍ସୱେଲ ୪୦ ଏବଂ ଷ୍ଟୋନିକ୍ସ ୩୭ ରନ ସଂଗ୍ରହ କରିଥିଲେ । ଏହା ପରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇନଥିଲେ । ଭାରତ ପକ୍ଷରୁ ଶାମି, କୁଲଦୀପ ଏବଂ  ବୁମରାହ ଯାଦବ ୨-୨ଟି ୱିକେଟ ହାସଲ କରିଥିଲେ ।

ହାଇଦ୍ରାବାଦ ଦିନିକିଆରେ ଟସ ଜିତି ଅତିଥି ଦଳ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଏରନ ଫିଞ୍ଚଙ୍କ ଏବଂ ଉସମାନ ଖ୍ୱାଜା ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ । ତେବେ ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ ଭାରତୀୟ ବୋଲର ।

ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟ ୟର ସମ୍ମୁଖିନ କରିବାକୁ ପଡିଥିଲା । ବୁମରାହ ନିଜର ପ୍ରଥମ ଓଭରେ ଅଷ୍ଟ୍ରେଲିଆ ଅଧିନାୟକ ଫିଞ୍ଚକୁ ଆଉଟ କରିଥିଲେ । ଫିଞ୍ଚ ୦ ରନ କରି ବୁମାରହଙ୍କ ବଲରେ ଧୋନୀଙ୍କ ହାତକେ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ । ଏହା ପରେ ଷ୍ଟୋନିକ୍ସ ଏବଂ ଉସମାନ ଖ୍ୱାଜା ଅଷ୍ଟ୍ରେଲିଆର ପାଳିକୁ ସମ୍ଭାଳିଥିଲେ । ୮୭ ରନ ଭାଗିଦାରୀ ପରେ ଷ୍ଟୋନିକ୍ସଙ୍କୁ ୩୭ ରନ କରି କେଦାର ଯାଦବଙ୍କ ବଲରେ ବିରାଟଙ୍କ ହାତକୁ କ୍ୟାଚ ଦେଇଥିଲେ । ଏହା ପରେ ଖ୍ୱାଜା ନିଜର ଅର୍ଦ୍ଧ ଶତକ ହାସଲ କରିବା ପରେ କୁଲଦୀପଙ୍କ ଶିକାର ହୋଇଥିଲେ । ଏହା ପରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିପାରିନଥିଲେ । ଶେଷ ଓଭରରେ କେରୀ ଏବଂ କିଲଟର ନାଇଲ ମଧ୍ୟରେ ୬୨ ରନର ପାର୍ଟନରସିପ ହୋଇଥିଲା ।

ଭାରତ ପକ୍ଷରୁ ଶାମି, ବୁମରାହ ଏବଂ କୁଲଦୀପ ଯାଦବ ସର୍ବାଧିକ ୨-୨ଟି ୱିକେଟ ହାସଲ କରିଥିବା ବେଳେ କେଦାର ଯାଦବ ଗୋଟିଏ ଗୋଟିଏ ୱିକେଟ ହାସଲ କରିଥିଲେ ।