Odia News Portal

ଭାରତ ପାଇଁ ‘କର ବା ମର ସ୍ଥିତି’

ଅହମ୍ମଦାବାଦ : ଚଳିତ ଟି-୨୦ ସିରିଜ୍ରେ ଆଶା ମୁତାବକ ପ୍ରଦର୍ଶନ କରିପାରିବାରେ ବିଫଳ ହୋଇଛି ଭାରତୀୟ କ୍ରିକେଟ ଟିମ୍ । ଆସନ୍ତାକାଲି ସିରିଜର ଚତୁର୍ଥ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ଓ ତୃତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମ୍ୟାଚ୍ ହାତଛଡ଼ା କରିଛି ଭାରତ । ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ଗତ ୩ ମ୍ୟାଚରେ ଯେଉଁ ଦଳ ପ୍ରଥମେ ବ୍ୟାଟିଂ କରୁଛି ସେହି ପରାଜୟମୁହଁ ଦେଖିବାକୁ ମିଳୁଛି । ତେଣୁ ଉଭୟ ଦଳ ଟସ୍ ଜିଣିବା ପାଇଁ ଆଶାୟୀ । ଏବେ ମ୍ୟାଚର ସ୍ଥିତି ୨-୧ରେ ରହିଛି ।


ତେବେ ସେ ଯାହା ହେଉନାହିଁ କାହିଁକି ଗୋଟିଏ ପଟେ ଭାରତ ଅ ।ଗରେ ‘କର ବା ମର ସ୍ଥିତି’ ରହିଥିବା ବେଳେ ବିରାଟ କୋହଲି ଭଲ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଉଛନ୍ତି । ଘରୋଇ ମାଟିରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଦଳ ନିଜକୁ ପ୍ରସ୍ତୁତ କରୁଛି । କେଏଲ୍ ରାହୁଲ ଖରାପ ପ୍ରଦର୍ଶନ କରୁଥିଲେ ହେଁ ସେ ପୁନର୍ବାର ଫର୍ମକୁ ଫେରିବେ ବୋଲି ଆଶା ରହକିଛି । ସେ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ବୋଲି କୋହଲି ସ୍ପଷ୍ଟ କରିଛନ୍ତି । ସେହିଭଳି ଇଂଲଣ୍ଡ ଦଳ ସିରିଜ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବୋଲି କୁହାଯାଉଛି । କାରଣ ସିରିଜର ଆଉ ଦୁଇଟି ମ୍ୟାଚ୍ ଖେଳାଯିବାକୁ ରହିଛି । ଏଣୁ ଆଉ ଗୋଟିଏ ମ୍ୟାଚ୍ ଜିତିନେଲେ ଇଂଲଣ୍ଡ ଟିମ୍ ସିରିଜକୁ ସହଜରେ ଜିତିନେବ ।


ଗତ ୩ ମ୍ୟାଚର ବିଶ୍ଲେଷଣ କଲେ ଭାରତୀୟ ବୋଲରମାନେ ମୁଖ୍ୟତଃ ନିରାଶ କରିଛନ୍ତି । ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ଙ୍କୁ ରୋକିବାରେ ଭାରତୀୟ ବୋଲର ବିଫଳ ହୋଇଛନ୍ତି । ସେହିପରି ପ୍ରଥମ ଓ ତୃତୀୟ ମ୍ୟାଚ୍ରେ ବ୍ୟାଟ୍ସମ୍ୟାନଙ୍କ ଆଖିଦୃଶିଆ ପ୍ରଦର୍ଶନ ନ କରିବା ଆହୁରି ଚିନ୍ତାକୁ ବଢାଇ ଦେଇଛି । ମୁଖ୍ୟତଃ ଲୋକେଶ ରାହୁଲଙ୍କ ବ୍ୟାଟିଂ ଦଳ ପାଇଁ କଣ୍ଟା ସଦୃଶ ହୋଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବଭଳି ବିସ୍ଫୋରକ ଇନିଂସ ଖେଳିପାରୁନାହାଁନ୍ତି । ପ୍ରଥମ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଥିବା ଶ୍ରେୟାସ ଆୟାର ତୃୃତୀୟ ମ୍ୟାଚ୍ରେ ବିଫଳ ହୋଇଥିଲେ । ସେହିପରି ଋଷଭ ପନ୍ତ ମଧ୍ୟ ଫିନିସିଂ ଭୂମିକା ନିଭାଇ ପାରୁନାହାଁନ୍ତି । ତୃତୀୟ ମ୍ୟାଚ୍ରେ ଦଳକୁ ଫେରିଥିବା ରୋହିତ ଶର୍ମା ମଧ୍ୟ ବଡ ସ୍କୋର କରିପାରିନଥିବାବେଳେ ବଡ ସଟ୍ ଖେଳିବା ଚକ୍କରରେ ଆଉଟ୍ ହୋଇଥିଲେ ଇଷାନ୍ କିଶାନ । ସେହିପରି ୱାଂଶିଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ସର୍ଦ୍ଦୁଲ ଠାକୁର ରନ୍ ରୋକିବାରେ ସଫଳତା ପାଇନାହାଁନ୍ତି । ତେଣୁ ଆଗାମୀ ଦୁଇ ମ୍ୟାଚ୍ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳଗତ ପ୍ରଦର୍ଶନ ହିଁ ସିରିଜ୍ ଜିତାଇବାର ଚାବିକାଠି ହେବ ବୋଲି ଆଶା କରାଯାଉଛି ।